ସେଲ୍ଫି ନିଶା ନେଲା ଜୀବନ! ନରାଜରେ ନଦୀ ସ୍ରୋତରେ ଭାସିଗଲେ ୩ ଛାତ୍ର; ୨ ଉଦ୍ଧାର, ଜଣେ ନିଖୋଜ

କଟକ: ଗୋଟିଏ ସେଲ୍ଫି ପାଇଁ ମୁହୂର୍ତ୍ତକର ଅସାବଧାନତା, ଆଉ ତାପରେ ଘଟିଗଲା ଅଘଟଣ। କଟକର ନରାଜ ଅଞ୍ଚଳରେ ନଦୀକୂଳରେ ସେଲ୍ଫି ଉଠାଉଥିବା ବେଳେ ୩ ଜଣ ଛାତ୍ର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା ଯୋଗୁଁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ମଧ୍ୟ ନିଖୋଜ ରହିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ତିନି ଜଣ ସାଙ୍ଗ ନଦୀକୂଳରେ ସେଲ୍ଫି ନେଉଥିବା ସମୟରେ ଜଣଙ୍କର ଗୋଡ଼ ଖସିଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ସନ୍ତୁଳନ ହରାଇ ନଦୀ ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ନଦୀକୁ ଡେଇଁ ପଡ଼ି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଅନ୍ୟ ଜଣେ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ।ଖବର ପାଇ ବାରଙ୍ଗ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଛାତ୍ରଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଏବେ ସୁଦ୍ଧା ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି।ଏହି ଘଟଣା ପୁଣି ଥରେ ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫି ନେବାର ପ୍ରବୃତ୍ତିକୁ ନେଇ ପ୍ରଶ୍ନ ଉଠାଇଛି। ନଦୀକୂଳ କିମ୍ବା ବିପଦସଙ୍କୁଳ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି।