ଜୁଲାଇ ୧୬ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଆଜି ଅନୁଷ୍ଠିତ ହେଉଛି ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ରଥ ସମନ୍ବୟ ବୈଠକ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଛି ଶେଷ ରଥ ସମନ୍ୱୟ କମିଟି ବୈଠକ। ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ,ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପରିମଳ ବ୍ୟବସ୍ଥା,ଟ୍ରାଫିକ ସୁପରିଚାଳନା,ଆଇନକାନୁନ ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହେଵ।ତେଣୁ ଏସବୁ ଭିତରେ ଚଳିତବର୍ଷ ରଥଯାତ୍ରାରେ ମାତ୍ରାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାଖଲ କରିବେ।
ଆଜି ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧକ୍ଷତା କରିବାକୁ ଥିବାବେଳେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ,ଜିଲ୍ଲାର ସମସ୍ତ ବିଧାୟକ,ଉପମୁଖ୍ୟମନ୍ତ୍ରୀ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ,ଏସପି,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ,ସେବାୟତ,ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିବେ। ତେବେ ଗତବର୍ଷ ଦଳାଚକଟାରେ ତିନିଜଣଙ୍କ ମୃତ୍ୟ ହୋଇଥିବା ବେଳେ ଚଳିତବର୍ଷ ଏହାର କିଭଳି ପୁନରାବୃତ୍ତି ହେବନାହିଁ ସେନେଇ ଜିରୋ ଏରର୍ ଏବଂ ଜିରୋ କାଜୁଆଲିଟି ଉପରେ ସରକାରଙ୍କ ଲକ୍ଷ ରହିଛି।