ବାରିପଦା ସହରର ଏକ ପ୍ରତିଷ୍ଠିତ ଲଜ୍ରେ ଏକ ସମ୍ବେଦନଶୀଳ ଓ ଅଭାବନୀୟ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ମହିଳାଙ୍କୁ ତାଙ୍କର ପୁରୁଷ ବନ୍ଧୁ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ତାରାକୋଟି ଗ୍ରାମର ଦୁବରାଜ ସିଂଙ୍କ ସ୍ତ୍ରୀ ବୁଧୁନି ସିଂ (୨୬) ବୋଲି ଜଣାପଡ଼ିଛି। ଏହି ଘଟଣାରେ ବେତନଟୀ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ଜିତେନ୍ଦ୍ର ମହାନ୍ତଙ୍କୁ ଗିରଫ କରିଛି। ଘଟଣା ସମ୍ପର୍କରେ ଅତିରିକ୍ତ ଏସପି ଦୀପକ ଗୋଛାୟତ ପ୍ରତିକ୍ରିୟା ନେବାରୁ ସେ ପ୍ରକାଶ କରିଥିଲେ ପୋଲିସର ପ୍ରାଥମିକ ତଦନ୍ତ ଓ ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ପାଖ ଗରୁଡ଼ବସା ଗ୍ରାମର ଜିତେନ୍ଦ୍ର ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ସହ ବୁଧୁନିଙ୍କର ଦୀର୍ଘ ଦିନରୁ ସମ୍ପର୍କ ରହିଥିଲା, ଯାହାକୁ ନେଇ ପାରିବାରିକ ମନୋମାଳିନ୍ୟ ଲାଗି ରହିଥିଲା। ଶୁକ୍ରବାର ଦିନ ମହିଳା ଜଣକ କିଛି ପୋଷାକପତ୍ର ସପିଂ କରିବା ପାଇଁ ବାରିପଦା ଆସୁଥିବା କହି ଘରୁ ବାହାରିଥିଲେ। ସପିଂ ସାରିବା ପରେ ଉଭୟ ବାରିପଦାର ଏକ ଲଜ୍ରେ ରହିଥିଲେ, ଯେଉଁଠାରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।
ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜିତେନ୍ଦ୍ର ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ହତ୍ୟା ଏପରି ବିଭତ୍ସ ଥିଲା ଯେ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନ ସହ ତାଙ୍କ ଗୁପ୍ତଙ୍ଗରେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା। ଏପରିକି ତାଙ୍କ ଯୈନାଙ୍ଗରେ କାଚ ବୋତଲ ଭାଙ୍ଗି ଦିଆଯାଇଥିବା ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି।
ଇଖିତ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଲଜ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଜବତ କରିଛି। ଫୁଟେଜ୍ ଯାଞ୍ଚରୁ ଜଣାପଡ଼ିଛି ଯେ, ଶୁକ୍ରବାର ରାତି ପ୍ରାୟ ୧୧:୩୦ ମିନିଟ୍ ସମୟରେ ଉଭୟ ଲଜ୍ରୁ ବାହାରକୁ ଯାଇଥିଲେ। ଯିବା ସମୟରେ ମହିଳା ଜଣକ ନିଜ ଗୋଡ଼ରେ ଚାଲି ଚାଲି ଯାଉଥିବା ବେଳେ ଫେରିବା ସମୟରେ ଜିତେନ୍ଦ୍ର ତାଙ୍କୁ ଅଚେତ ଓ ମୁମୂର୍ଷୁ ଅବସ୍ଥାରେ ବୋହି ଆଣୁଥିବାର ଦୃଶ୍ୟ କଏଦ ହୋଇଛି।
ଏହାପରେ ଜିତେନ୍ଦ୍ର ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଦୁବରାଜ ସିଂ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ବେତନଟୀ ଥାନା କେସ୍ ନମ୍ବର ୨୭୨/୨୬ ରେ ମାମଲା ରୁଜୁ କରି ୧୦୩ ଏବଂ ଆଟ୍ରୋସିଟି ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରିଛି। ପୋଲିସ ସମ୍ପୃକ୍ତ ଲଜ୍ର ଉକ୍ତ ରୁମ୍କୁ ସିଲ୍ କରିଦେଇଛି। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମହାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ଛାନଭିନ ଜାରି ରହିଛି। ପୋଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଛି। ଲଜ୍ର ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଜବତ କରାଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଓ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତ।