ନା ମୁଣ୍ଡ ଗୁଞ୍ଜିବାକୁ ଘର ଅଛି, ନା ଆଧାର କାର୍ଡ। ସରକାରୀ ଯୋଜନା ଏହି ପରିବାର ପାଇଁ ସାତ ସପନ। ବର୍ଷା, ଖରା, ଶୀତ—ସବୁ ଋତୁରେ ଖୋଲା ଆକାଶ ତଳେ ରାସ୍ତା କଡ଼ ହିଁ ସେମାନଙ୍କ ଏକମାତ୍ର ଆଶ୍ରୟ। ଦୀର୍ଘ ୧୩ ବର୍ଷ ଧରି ଏଭଳି ଅମାନବୀୟ ପରିସ୍ଥିତିରେ ଜୀବନ କାଟୁଛନ୍ତି ଏକ ଅସହାୟ ପରିବାର।ଏହା ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ସୋଲିନ ପୁର୍ତ୍ତିଙ୍କ ପରିବାରର କାହାଣୀ। ପ୍ରାୟ ୧୫ ବର୍ଷ ବୟସରେ କାମ ସନ୍ଧାନରେ ପାରାଦୀପ ଆସି ପ୍ରଥମେ ଶ୍ରମିକ ଓ ପରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ପରେ ବିବାହ କରି ସଂସାର ଗଢ଼ିଥିଲେ। ଏବେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। କିନ୍ତୁ ଭାଗ୍ୟର ପରିହାସରେ ସଂସାର ଭାଙ୍ଗିପଡ଼ିଛି। ସ୍ତ୍ରୀ ନିଶାସକ୍ତ ହୋଇ ପରିବାରଠାରୁ ଦୂରେ ରହୁଥିବା ବେଳେ ସୋଲିନ ଜଣ୍ଡିସ ରୋଗରେ ପୀଡ଼ିତ ହୋଇ କାମ କରିବାକୁ ଅସମର୍ଥ ହୋଇପଡ଼ିଛନ୍ତି।ଆଧାର କାର୍ଡ ନଥିବାରୁ ସରକାରୀ ସହାୟତା ମଧ୍ୟ ମିଳୁନାହିଁ। ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବାରୁ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ସେ କଟକ କିମ୍ବା ଜଗତସିଂହପୁର ବଡ଼ ମେଡିକାଲ ଯାଇପାରୁନାହାନ୍ତି। ଫଳରେ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଅବନତି ହେଉଛି।
ଘରର ରୋଜଗାର ବନ୍ଦ ହୋଇଯିବା ପରେ ଚାରି ପିଲାଙ୍କ ଜୀବନ ଅନ୍ଧକାରରେ ପଡ଼ିଛି। ପାଠପଢ଼ା ତ ଦୂରର କଥା, ଦିନକୁ ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଭୋକ ମେଣ୍ଟାଇବା ପାଇଁ ପିଲାମାନେ ରାସ୍ତାରେ ଯାଉଥିବା ଗାଡ଼ି ସାମ୍ନାରେ ହାତ ପାତି ଭିକ୍ଷା ମାଗୁଛନ୍ତି। ଯାହା ମିଳୁଛି, ସେଥିରେ କେବେ ଖାଇ ତ କେବେ ଉପାସରେ ଦିନ କାଟୁଛନ୍ତି।ଶିଳ୍ପନଗରୀ ପାରାଦୀପର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏହି ପରିବାରର ଦୁଃଖଦ କାହାଣୀ ସମସ୍ତଙ୍କ ଆଖି ଆଗରେ ଥିଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା ପ୍ରତି କାହାର ନଜର ପଡ଼ୁନାହିଁ। ସରକାରୀ ଯୋଜନାରୁ ବଞ୍ଚିତ ଏହି ପରିବାର ପାଇଁ ଏବେ ସହାୟତା ହିଁ ଏକମାତ୍ର ଭରସା।
ଏନେଇ ସମାଜସେବୀ ଶିଶିର କୁମାର କର କହିଛନ୍ତି, ତୁରନ୍ତ ପ୍ରଶାସନ ଏହି ପରିବାରକୁ ଚିହ୍ନଟ କରି ଆଧାର କାର୍ଡ, ବାସଗୃହ, ରାସନ କାର୍ଡ ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇବା ସହ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଆବଶ୍ୟକ।ଯେଉଁ ବୟସରେ ପିଲାମାନଙ୍କ ହାତରେ ବହି ଓ ଖେଳନା ରହିବା କଥା, ସେହି ବୟସରେ ସେମାନେ ପେଟର ଭୋକ ମେଣ୍ଟାଇବା ପାଇଁ ଭିକ୍ଷା ମାଗୁଛନ୍ତି। ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସ୍ଥାନୀୟ ଲୋକ ଓ ସମାଜସେବୀମାନେ ଦାବି କରିଛନ୍ତି।