
ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ମତଦାତା ତାଲିକା ସଂଶୋଧନ (SIR) କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବେଦଭୂଷଣ ଏହି ରଥକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।
ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ, ମତଦାତା ତାଲିକାରେ ନାମ ଅନ୍ତର୍ଭୁକ୍ତି, ସଂଶୋଧନ ଓ ବିଲୋପ ସମ୍ପର୍କିତ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ SIR କାର୍ଯ୍ୟକ୍ରମ ବିଷୟରେ ସଚେତନତା ବଢ଼ାଇବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ।ଉଦ୍ଘାଟନ ପରେ ସଚେତନତା ରଥଟି ଫୁଲବାଣୀ ସହରର ବିଭିନ୍ନ ୱାର୍ଡ ଓ ଜନବହୁଳ ଅଞ୍ଚଳ ପରିଭ୍ରମଣ କରି ମତଦାତା ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ଏହା ମାଧ୍ୟମରେ ମତଦାତାମାନେ ନିଜ ନାମ ଯାଞ୍ଚ, ସଂଶୋଧନ ଓ ନୂତନ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ସୂଚନା ପାଇପାରିବେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଭିକାରୀ ସାହୁ, DUDAର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ଥିଲେ।ଜିଲ୍ଲାରେ SIR କାର୍ଯ୍ୟକ୍ରମକୁ ସଫଳ କରିବା ଏବଂ ମତଦାତାଙ୍କ ଅଧିକ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ଏହି ସଚେତନତା ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।