
ପୁରୀରେ ଆୟୋଜିତ ହେଉଥିବା ତିନି ଦିନିଆ ବ୍ରିକ୍ସ ସମ୍ମିଳନୀ ଅବସରରେ ନୀଳାଦ୍ରି ବିଚ୍ରେ ଏକ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନୀଳାଦ୍ରି ବିଚ୍ରେ ବ୍ରିକ୍ସ ସମ୍ମିଳନୀକୁ କେନ୍ଦ୍ର କରି ଏକ ସୁନ୍ଦର ବାଲୁକା କଳା ସୃଷ୍ଟି କରିଥିଲେ। ତାଙ୍କର ଏହି କଳାକୃତି ସମ୍ମିଳନୀର ଗୁରୁତ୍ୱ ଓ ବିଶ୍ୱସ୍ତରୀୟ ସହଯୋଗର ବାର୍ତ୍ତାକୁ ପ୍ରତିଫଳିତ କରିଥିଲା। ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକମାନେ ଏହି ବାଲୁକା କଳାକୁ ଦେଖି ବେଶ୍ ଆକର୍ଷିତ ହୋଇଥିଲେ।

କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)ର ସଚିବ ନୀଳକଣ୍ଠ ଏସ୍. ଆଭାଦ, ଗୃହ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏମ୍. ରାମଚନ୍ଦ୍ରଡୁ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଉପ-ଜିଲ୍ଲାପାଳ ରାଜ କିଶୋର ଜେନା ଓ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ପୁରୀରେ ଆୟୋଜିତ ଏହି ବ୍ରିକ୍ସ ସମ୍ମିଳନୀ ବିପର୍ଯ୍ୟୟ ପରିଚାଳନା, ଆଞ୍ଚଳିକ ସହଯୋଗ ଓ ଅଭିଜ୍ଞତା ବିନିମୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ପାଇଁ ଏକ ମଞ୍ଚ ସୃଷ୍ଟି କରିଛି। ବାଲୁକା କଳା ମାଧ୍ୟମରେ ଏହି ସମ୍ମିଳନୀର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଏକ ସଫଳ ପ୍ରୟାସ ହୋଇଥିବା ମତ ପ୍ରକାଶ ପାଇଛି।