ଜାତୀୟ ପାରା ଆଥଲେଟ୍ ଚିରାଗ ତ୍ୟାଗିଙ୍କୁ ଗାଜିଆବାଦରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ପୋଲିସ ତାଙ୍କ ମୃତଦେହ ସାଇ ଉପବନ ଅଞ୍ଚଳରୁ ଉଦ୍ଧାର କରିଥିଲା ଏବଂ ପିଠିରେ ଗୁଳିର ଚିହ୍ନ ମିଳିଥିଲା।

ରବିବାର ପ୍ରକାଶିତ ଖବର ଅନୁଯାୟୀ ଅନ୍ୟ ଜଣେ ପାରା ଆଥଲେଟ୍ ୟଶ ଖାତିକଙ୍କୁ ଗିରଫ କରିଛି। ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ ଖେଳ ସମ୍ବନ୍ଧୀୟ ବିବାଦ ଓ ଯୋଗ୍ୟତା ରଦ୍ଦ ହେବାକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ ମନୋମାଲିନ୍ୟ ଥିଲା। ଅଭିଯୁକ୍ତ ନିଜ ପ୍ରତିଶୋଧ ନେବା ପାଇଁ ଏହି ହତ୍ୟା କରିଥିବା କଥା ପଚରାଉଚରାରେ ସ୍ୱୀକାର କରିଥିବା ଖବର ମିଳିଛି।
୨୫ ବର୍ଷୀୟ ଚିରାଗ ତ୍ୟାଗୀ ସମ୍ପ୍ରତି ବେଙ୍ଗାଲୁରୁରେ ଆୟୋଜିତ ଜାତୀୟ ପାରା ଆଥଲେଟିକ୍ସ ଚ୍ୟାମ୍ପିୟନଶିପ୍ରେ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ଏହା ଦ୍ୱାରା ଏସିଆନ୍ ପାରା ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ।ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ ପଚରାଉରା ଜାରି ରହିଛି। ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ ଗତ ବୁଧବାର ସକାଳେ ଚିରାଗ ନିଜ ହଷ୍ଟେଲ୍ ଅଭିମୁଖେ ବାହାରିଥିଲେ ମାତ୍ର ଦୀର୍ଘ ସମୟ ଧରି ତାଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇନଥିଲା। ଏଥିରେ ଚିନ୍ତିତ ହୋଇ ପରିବାର ପକ୍ଷରୁ ପୋଲିସ ନିକଟରେ ଏକ ନିଖୋଜ ଅଭିଯୋଗ ଦାୟର କରାଯାଇଥିଲା। ଶନିବାର ଅପରାହ୍ନରେ ଗାଜିଆବାଦର ସାଇ କୁଞ୍ଜ ଅଞ୍ଚଳରୁ ପୋଲିସ ଚିରାଗଙ୍କ ମୃତଦେହ ଉଦ୍ଧାର କରିଛି ଏବଂ ପ୍ରାଥମିକ ଯାଞ୍ଚରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଅନୁସନ୍ଧାନ କରି ଚିରାଗଙ୍କ ସହ ପ୍ରଶିକ୍ଷଣ ନେଉଥିବା ଅନ୍ୟ ଜଣେ ପାରା ଆଥଲେଟ୍ ୟଶ୍ ଖଟିକକୁ ଅଟକ ରଖି ପଚରାଉଚରା କରିବା ପରେ ଏହି ସାଘାତିକ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି।
ବର୍ତ୍ତମାନ ପୁଲିସ ଅଭିଯୁକ୍ତ ୟଶଙ୍କୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଉଦ୍ଧାର ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସେହିପରି, ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ହାତକୁ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି।