ଘରୋଇ ବିବାଦରେ ରକ୍ତରଞ୍ଜିତ ଘଟଣା, ସ୍ତ୍ରୀ ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଲ ଗାଁରେ ଘରୋଇ କଳି ଏକ ଭୟାବହ ଓ କରୁଣ ଘଟଣାରେ ପରିଣତ ହୋଇଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦରେ ପ୍ରଥମେ ସ୍ତ୍ରୀଙ୍କ ମୃତ୍ୟୁ ଓ ପରେ ସ୍ୱାମୀଙ୍କ ଆତ୍ମହତ୍ୟା ଘଟିଥିବା ଅଭିଯୋଗ ମିଳିଛି।

ସୂଚନା ଅନୁସାରେ, ଗତ ୨୭ ତାରିଖ ଦିନ ଚନ୍ଦ୍ର ଟୁଡୁ ଓ ତାଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଟୁଡୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ତୀବ୍ର ବିବାଦ ହୋଇଥିଲା। ବିବାଦ ଧୀରେଧୀରେ ଉଗ୍ର ରୂପ ନେଇ ମାରପିଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ସମୟରେ ସ୍ୱାମୀ ଚନ୍ଦ୍ର ଟୁଡୁ ସ୍ତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଘଟଣା ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣି ସ୍ୱାମୀ ଚନ୍ଦ୍ର ଟୁଡୁ ଚରମ ନିଷ୍ପତ୍ତି ନେଇଥିଲେ। ସେ ନିକଟସ୍ଥ ଜଙ୍ଗଲକୁ ଯାଇ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଛି। ଏହାସହିତ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଓ ଘଟଣାର ପୂର୍ଣ୍ଣ ସତ୍ୟତା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।