ଯାଜପୁରରେ ବିଜେପିର ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର ରୋଡ: ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଯାଜପୁର ରୋଡ ସ୍ଥିତ ହୋଟେଲ ବ୍ରାହ୍ମଣୀ ଠାରେ ଦୁଇଦିନିଆ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର” ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ବିଭିନ୍ନ ଦଳୀୟ ନେତା ଓ ମନ୍ତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ ଡ଼. ରବିନାରାୟଣ ବେହେରା, ବିଧାୟକ ଅମର ନାୟକ ଓ ହିମାଂଶୁ ଶେଖର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଅନୁଷ୍ଠାନିକ ଭାବେ ଶିବିରର ଉଦ୍ଘାଟନ କରିଥିଲେ।

ଉଦ୍ଘାଟନୀ ଦିବସରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିବା ବେଳେ କର୍ମୀମାନଙ୍କୁ ବିଜେପିର ଇତିହାସ ଓ ବିକାଶ, କାର୍ଯ୍ୟକର୍ତ୍ତା ବିକାଶ, ବିଚାର ପରିବାର, କାର୍ଯ୍ୟ ବିସ୍ତାର ଓ ଦୃଷ୍ଟିକୋଣ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ କର୍ମୀମାନଙ୍କୁ ଅବଗତ କରାଯାଇଥିଲା।

ଶିବିରର ଦ୍ୱିତୀୟ ଦିବସରେ କର୍ମୀମାନଙ୍କୁ ଯୋଗ ଓ ପ୍ରାଣାୟାମ ଶିକ୍ଷା ଦିଆଯିବା ସହ ଦଳୀୟ କାର୍ଯ୍ୟପନ୍ଥା, ବୁଥ ପ୍ରବନ୍ଧନ, ବ୍ୟବହାରିକ ସତ୍ର ଓ ମିଡ଼ିଆ ଏବଂ ସାମାଜିକ ଗଣମାଧ୍ୟମର ଦାୟିତ୍ୱବୋଧ ଉପରେ ଆଲୋକପାତ କରାଯାଇଥିଲା। ସେହିପରି ଆଗାମୀ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ ନଜରରେ ରଖି କାର୍ଯ୍ୟପଦ୍ଧତି ଓ ସଂଗଠନ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଗୌତମ ରାୟ, ଯତୀନ ମହାନ୍ତି, ଜୀବନ ସାହୁ, ସୁବାସ ନନ୍ଦ, ଆଶିଷ ରାୟ ବିଶ୍ୱାଳ, ବବିତା ମଲିକ, ଉମେଶ ଜେନା, ଅଯୋଧ୍ୟା ଜେନା, ସୁଧାଂଶୁ ଭଞ୍ଜ ଓ ଦିପ୍ତିମୟୀ କୁଅଁରଙ୍କ ସମେତ ପ୍ରତ୍ୟେକ ବ୍ଲକରୁ ବିଜେପିର ମୁଖ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ଏହାସହ ଅତିଥିମାନଙ୍କ ଦ୍ୱାରା ଯାଜପୁର ଜିଲ୍ଲାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ପ୍ରତିଫଳିତ କରୁଥିବା କଳାତ୍ମକ ଫଟୋଚିତ୍ରର ସମ୍ଭାରକୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା।