
ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଇରାନ-ଆମେରିକା ମଧ୍ୟରେ ସଂଘର୍ଷର ପ୍ରଭାବ ଏବେ ବିଶ୍ୱ ବଜାରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଳ ଦରରେ ଲଗାତାର ବୃଦ୍ଧି ଘଟୁଥିବାବେଳେ ଏହାର ପ୍ରଭାବ ଭାରତ ସମେତ ବିଶ୍ୱର ଅନେକ ଦେଶର ଇନ୍ଧନ ବଜାର ଉପରେ ପଡ଼ିଛି। ବିଶେଷଜ୍ଞମାନଙ୍କ ମତରେ, ଯଦି ଏହି ଅସ୍ଥିରତା ଆଗାମୀ ଦିନରେ ଜାରି ରହେ, ତେବେ ଏଲପିଜି ସିଲିଣ୍ଡର ଦରରେ ମଧ୍ୟ ବୃଦ୍ଧି ଘଟିପାରେ।
ବର୍ତ୍ତମାନ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଭାରତର ତୈଳ ବିପଣନ କମ୍ପାନୀମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ନିକଟ ଅତୀତରେ ପେଟ୍ରୋଲ ଓ ଡିଜେଲ ଦର ଦୁଇ ଦୁଇ ଥର ବୃଦ୍ଧି ପାଇଛି। ଫଳରେ ପରିବହନ ଖର୍ଚ୍ଚ ବଢ଼ିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ଉପରମୁହାଁ ହେବାର ଆଶଙ୍କା ବଢ଼ିଛି।ଏହି ପରିସ୍ଥିତିରେ ଘରୋଇ ରନ୍ଧନ ଗ୍ୟାସ ବ୍ୟବହାରକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଯଦି ଆନ୍ତର୍ଜାତିକ ବଜାରରେ ଏଲପିଜିର ଆମଦାନୀ ମୂଲ୍ୟ ବଢ଼ିଚାଲେ, ତେବେ ସରକାର ଓ ତୈଳ କମ୍ପାନୀମାନେ ସିଲିଣ୍ଡର ଦର ପୁନଃ ସଂଶୋଧନ କରିପାରନ୍ତି। ଏପରି ହେଲେ ସାଧାରଣ ଏବଂ ମଧ୍ୟବିତ୍ତ ପରିବାରଙ୍କ ଘରୋଇ ବଜେଟ୍ ଉପରେ ଅଧିକ ବୋଝ ପଡ଼ିବ।
ଆର୍ଥିକ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ପଶ୍ଚିମ ଏସିଆରେ ଶାନ୍ତି ଫେରିନଥିଲେ ଅଶୋଧିତ ତୈଳ ଓ ଗ୍ୟାସ ଦରରେ ଅସ୍ଥିରତା ଜାରି ରହିବ। ତେଣୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଇନ୍ଧନ ବଜାରର ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି। ସାଧାରଣ ଲୋକଙ୍କ ପାଇଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ପେଟ୍ରୋଲ ଓ ଡିଜେଲ ପରେ କଣ LPG ସିଲିଣ୍ଡର ଦର ମଧ୍ୟ ବଢ଼ିବ?