ଆସନ୍ତା ଜୁନ୍ ୧୨ରେ ରାଜ୍ୟର BJP ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ କରିବ। ଏହାକୁ ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ପଶ୍ଚିମ-ଏସିଆର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ବଡ଼ ଆୟୋଜନ ବଦଳରେ ସରକାରଙ୍କ ୨ ବର୍ଷର ଉପଲବ୍ଧି ଓ ଜନକଲ୍ୟାଣକାରୀ ଯୋଜନା ଉପରେ ଅଧିକ ଫୋକସ କରାଯିବ।
ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ପୁସ୍ତିକା ପ୍ରକାଶନ ମଧ୍ୟ କରାଯିବ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ସଫଳତା ଉପରେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦେବାକୁ କୁହାଯାଇଛି। ପରେ ମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସୂଚନା ଦେବେ।
ସରକାରଙ୍କ ଉପଲବ୍ଧି ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲିଫଲେଟ୍ ଓ ପୁସ୍ତିକା ପ୍ରକାଶ କରାଯିବ। ଏହା ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଆଭିମୁଖ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ରହିଛି।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସହ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ଅଧିକାରୀମାନେ ଯୋଗଦେଇଥିଲେ।
ସେହିପରି, ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି। ଜୁନ୍ ୧୨ରୁ ୧୦ ଦିନ ଧରିଏହି କାର୍ଯ୍ୟକ୍ରମ ପାଳନ ହେବ।