ଅପରାଧୀଙ୍କ ଆଗରେ ପୁଲିସ ଅସହାୟ ?

ଓଡ଼ିଶାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ଦ୍ବିପ୍ରହରରେ ହତ୍ୟା, ଆକ୍ରମଣ ଓ ଗୁଣ୍ଡାଗିରି ଘଟଣା ସାଧାରଣ ହୋଇପଡ଼ିଛି। ଏଭଳି ସ୍ଥିତିକୁ ଦେଖି ଲାଗୁଛି ଯେପରି ପୁଲିସ ଅପରାଧୀଙ୍କ ଆଗରେ ହାତ ଟେକି ଦେଇଛି। ଖୋଦ୍ ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଉଥିବା ବେଳେ ପୁଲିସ ନୀରବ ଦର୍ଶକ ସାଜିଥିବା ଅଭିଯୋଗ ହେଉଛି।ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୭ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବାରୁ ଲୋକମାନଙ୍କ ଭିତରେ ଭୟର ପରିବେଶ ସୃଷ୍ଟି ହୋଇଛି। ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ହେଉ କି କଣାସରେ ଗାଡ଼ି ଉପରେ ବୁଲେଟ ଚଢ଼ାଇ ହତ୍ୟା କରାଯିବା, ସବୁଠି ଅପରାଧୀମାନେ ବିନା ଭୟରେ ଅପରାଧ କରୁଛନ୍ତି। ଏହାରୁ ସ୍ପଷ୍ଟ ହେଉଛି ଯେ ଲୋକଙ୍କ ମନରୁ ପୁଲିସ ଓ ଆଇନ କାନୁନ ପ୍ରତି ଭୟ ଧୀରେ ଧୀରେ କମିଯାଉଛି ।

ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ପୁଲିସ ନିଜର ମୂଳ ଦାୟିତ୍ବ ଭୁଲିଯାଇଛି। ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା କରିବା ବଦଳରେ ପୁଲିସ ଅଧିକ ସମୟ ଫାଇଲ କାମ ଓ ନେତାମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟସ୍ତ ରହୁଛି। ଫଳରେ ସାଧାରଣ ଲୋକେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତିର କଥା କହୁଥିଲେ ମଧ୍ୟ ମାଟିସ୍ତରରେ ତାହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଅପରାଧୀମାନେ ନିର୍ଭୟରେ ଅପରାଧ କରୁଥିବା ବେଳେ ପୁଲିସର କାର୍ଯ୍ୟଶୈଳୀ ଏବେ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଲୋକେ ଏବେ ପ୍ରଶ୍ନ କରୁଛନ୍ତି, ଯଦି ରାଜଧାନୀ ନିକଟରେ ଏଭଳି ଘଟଣା ଘଟୁଛି, ତେବେ ଅନ୍ୟ ଅଞ୍ଚଳର ସୁରକ୍ଷା ସ୍ଥିତି କେମିତି ଥିବ ?