ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଠାରୁ ମାତ୍ର 2 ଶହ ମିଟର ଦୂରତାରେ ଏକ ଟାୱାରରେ ଚଢି ଜଣେ ଯୁବକ ଆତ୍ମାହତ୍ୟା ଉଦ୍ୟମ କରିଛନ୍ତି. ଯୁବକ ଜଣକହେଲେ ତୁମୁସିଙ୍ଗା ଥାନା ସୋଗର ଗ୍ରାମର ରୁଦ୍ରନାରାୟଣ ଦାସ. ସେ ସାଙ୍ଗରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ. ବହୁ ସମୟ ଧରି ଖରାରେ ଟାୱାର ଉପରେ ବସି ରହିଥିଲେ. ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ବୁଝା ସୁଝା କରିଥିଲେ ମଧ୍ୟ ସେ ତଳକୁ ଓଲ୍ହାଇନଥିଲେ. ଏଥିସହ ରୁଦ୍ର ପୁଲିସ କହିବା ପରେ ମଧ୍ୟ ତଳକୁ ନ ଓଲ୍ହାଇ ପେଟ୍ରୋଲ ପିଇ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା. ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ଦେଖି ରୁଦ୍ର ନିଜକୁ କାବୁ ନ କରି ଟାୱାରରୁ ଡେଇ ପଡ଼ିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।

ତୁମୁସିଙ୍ଗା ଥାନା ସୋଗର ଗ୍ରାମର ରୁଦ୍ରନାରାୟଣ ଦାସ ଓ ଏସଓପି ଭାବେ ୨୦୧୮ରେ ଚାକିରୀ ପାଇଥିଲେ। ଟ୍ରେନିଂ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦେଇଥିଲେ ଡାକ୍ତର । ସେ ସୁସ୍ଥ ହୋଇ ଫେରିଲା ପରେ ତାଙ୍କ ଚାକିରିରୁ ବହିଷ୍କୃତ କରି ଦିଆଯାଇଥିବା କଥା ଶୁଣିଥିଲେ । ପୁନଶ୍ଚ ଚାକିରି ପାଇବା ପାଇଁ ପୂର୍ବରୁ ବିଭାଗୀୟ ଅଧୂକାରୀ, ମୁଖ୍ୟମନ୍ତ୍ରୀ, ଜିଲାପାଳଙ୍କୁ ଭେଟି ନିରାଶ ହୋଇଛନ୍ତି । ବଡ଼କଥା ଗରିବ ରୁଦ୍ରନାରାୟଣ ବାପା, ମା’ଙ୍କର ଏକମାତ୍ର ଶିକ୍ଷିତ ପୁତ୍ର ହୋଇଥିବା ବେଳେ ରୋଗଗ୍ରସ୍ତ ବାପା, ମା’ଙ୍କୁ ଔଷଧ ଦେବାରେ ସାମର୍ଥ ହୋଇପାରୁ ନାହାନ୍ତି ।

ଶେଷରେ ଚରମ ପଦକ୍ଷେପ ଗ୍ରହଣ କରି ନିଜର ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଭାବେ ଅନୁମତି ପାଇଁ ଟୁଇଟ କରିଛନ୍ତି । ପୂର୍ବରୁ ଗରିବ ଓ ରୋଗାଗ୍ରସ୍ତ ବାପା, ମା’ ଓ ସମ୍ପର୍କୀୟ ଢେଙ୍କାନାଳ ଥୁବା ବାଟାଲିୟନ ଦୁର୍ଗପତିଙ୍କୁ ଭେଟି ଗୁହାରୀ ଜଣାଇଥିଲେ। ହେଲେ କେହି ଶୁଣି ନାହାନ୍ତି । ଶେଷରେ ହତାଷ ହୋଇ ରୁଦ୍ର ନାରାୟଣ ଟାୱାର ଉପରେ ଆତ୍ମହତ୍ୟା କରିବା ପାଇଁ ଚଢିଛନ୍ତି ।ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।