ଆସାମରେ ପୁଣି ବିଜେପି ସରକାର

ଆସାମରେ ବିଜେପିର ଦମଦାର ପ୍ରଦର୍ଶନ
ଜୋରହାଟରେ ଗୌରବ ଗୋଗୋଇଙ୍କୁ ବଡ଼ ଝଟକା
ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ବଡ଼ ବିଜୟ
୨୧ ହଜାର ଭୋଟରେ ହାରିଲେ କଂଗ୍ରେସ ନେତା
ଆସାମରେ ପୁଣି ଫୁଟିବ ପଦ୍ମ, ୬୬ ଆସନରେ ବିଜେପିର ବାଜିମାତ୍
ଅଖିଳ ଓ ଲୁରିଞ୍ଜ୍ୟୋତି ମଧ୍ୟ ପଛରେ

ଆସାମ ବିଧାନସଭା ନିର୍ବାଚନର ଭୋଟ ଗଣନା ଜାରି ଥିବା ବେଳେ ରାଜ୍ୟରେ ପୁଣିଥରେ ବିଜେପି ସରକାର ଗଠନର ସମ୍ଭାବନା ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ବିଶେଷକରି ଜୋରହାଟ ଆସନରୁ କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ପରାଜୟ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଜୋରହାଟ ଆସନରେ ବିଜେପି ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧ ହଜାର ଭୋଟ୍ ମାର୍ଜିନରେ ଗୌରବ ଗୋଗୋଇଙ୍କୁ ପରାସ୍ତ କରିଛନ୍ତି। ସକାଳୁ ଭୋଟ ଗଣନା ଆରମ୍ଭ ହେବା ପରଠାରୁ ହିତେନ୍ଦ୍ର ନାଥ ଗୋସ୍ୱାମୀ ଲଗାତାର ଆଗରେ ରହିଥିଲେ। ଶେଷରେ ସେ ଏହି ହାଇ-ପ୍ରୋଫାଇଲ୍ ନିର୍ବାଚନୀ ଲଢ଼େଇରେ ସହଜ ବିଜୟ ହାସଲ କରିଛନ୍ତି। ଗୌରବ ଗୋଗୋଇଙ୍କ ପରାଜୟ କଂଗ୍ରେସ ପାଇଁ ବଡ଼ ଧକ୍କା ବୋଲି କୁହାଯାଉଛି।

ସଦ୍ୟତମ ରୁଜାନ ଅନୁଯାୟୀ, ଆସାମରେ ବିଜେପି ୬୬ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୩୦ଟି ଆସନରେ ଆଗରେ ଥିବା ବେଳେ ଏନ୍‌ଡିଏର ସହଯୋଗୀ ଦଳ ଏଜିପି ୮ଟି ଆସନରେ ଲିଡ୍ କରୁଛି। ଏଆଇୟୁଡିଏଫ୍‌ ୨ଟି ଆସନରେ ଆଗରେ ରହିଛି। ଏହି ରୁଜାନ ଦେଖି ରାଜ୍ୟରେ ପୁଣିଥରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ପ୍ରାୟ ନିଶ୍ଚିତ ବୋଲି ମନେ କରାଯାଉଛି । ଅନ୍ୟପଟେ ଆସାମର ଦୁଇ ପ୍ରମୁଖ ବିରୋଧୀ ନେତା ଅଖିଳ ଗୋଗୋଇ ଓ ଲୁରିଞ୍ଜ୍ୟୋତି ଗୋଗୋଇ ମଧ୍ୟ ହାରର ସାମ୍ନା କରିଛନ୍ତି । ରାଇଜୋର ଦଳ ସଭାପତି ଅଖିଳ ଗୋଗୋଇ ବିଜେପିର କୁଶଲ ଡୋୱାରିଙ୍କଠାରୁ ବହୁ ଭୋଟରେ ପଛରେ ରହିଛନ୍ତି। ସେହିପରି ଆସାମ ଜାତୀୟ ପରିଷଦ ଅଧ୍ୟକ୍ଷ ଲୁରିଞ୍ଜ୍ୟୋତି ଗୋଗୋଇ ବିଜେପିର ଚକ୍ରଧର ଗୋଗୋଇଙ୍କଠାରୁ ୬୨୦୫ ଭୋଟରେ ପଛରେ ରହିଥିଲେ ।