
EPFO ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ସର୍ବନିମ୍ନ ପେନସନ୍ ରାଶି ବୃଦ୍ଧି ପାଇଁ ଦାବି ହୋଇଆସୁଥିବା ବେଳେ ଏବେ ପେନସନ୍ଧାରୀଙ୍କୁ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ମାତ୍ର ୧୦୦୦ ଟଙ୍କା ପେନସନ୍ରେ ଗୁଜରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ୁଥିଲା। ଏହି ପରିସ୍ଥିତିରେ ପେନସନ୍ ବୃଦ୍ଧି ଲକ୍ଷାଧିକ EPFO ଖାତାଧାରୀଙ୍କ ପାଇଁ ବଡ଼ ରାହତ ହେବ ବୋଲି ଆଶା କରାଯାଉଛି।
ସେହିପରି EPFO ସେବାକୁ ଆହୁରି ସହଜ ଓ ଡିଜିଟାଲ୍ କରିବାକୁ ନୂଆ ପଦକ୍ଷେପ ନିଆଯାଇଛି। ଏବେ କର୍ମଚାରୀମାନେ ATM ଏବଂ UPI ମାଧ୍ୟମରେ ନିଜ PF ବାଲାନ୍ସର ୭୫ ପ୍ରତିଶତ ଟଙ୍କା ତୁରନ୍ତ ଉଠାଇପାରିବେ। ଅବଶିଷ୍ଟ ୨୫ ପ୍ରତିଶତ ଟଙ୍କା ଭବିଷ୍ୟତ ଓ ଅବସର ସମୟ ପାଇଁ ଖାତାରେ ସୁରକ୍ଷିତ ରହିବ। ପୂର୍ବରୁ PF ଟଙ୍କା ଉଠାଇବା ପାଇଁ ଲମ୍ବା ପ୍ରକ୍ରିୟା ଓ ଧାଁଦୌଡ଼ କରିବାକୁ ପଡ଼ୁଥିଲା। ହେଲେ ଏବେ ଚୁଟକିରେ ସମାଧାନ ମିଳିବାକୁ ଯାଉଛି। ଏହାସହ EPFO ଖାତାଧାରୀଙ୍କୁ ୮.୨୫ ପ୍ରତିଶତ ସୁଧ ଦେବା ପ୍ରସ୍ତାବ ମଧ୍ୟ ରହିଛି। ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ଏହି ସୁଧର ଟଙ୍କା ସିଧାସଳଖ ଖାତାଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ।
ଅନ୍ୟପଟେ PF କ୍ଲେମ୍ ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିବା ପାଇଁ ଅଟୋ-ସେଟେଲମେଣ୍ଟ ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି। ଫଳରେ ବଡ଼ ଧରଣର କ୍ଲେମ୍ମାନେ ମାତ୍ର ୩ ଦିନ ମଧ୍ୟରେ କୌଣସି ମାନବ ହସ୍ତକ୍ଷେପ ବିନା ସେଟେଲ୍ ହୋଇପାରିବ। ଦୀର୍ଘଦିନ ଧରି ବିଭିନ୍ନ ଶ୍ରମ ସଂଗଠନ EPFO ପେନସନ୍ ଓ ସୁଧ ହାର ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ଏହି ଦାବିକୁ ନଜରରେ ରଖି ଏକ ପାର୍ଲାମେଣ୍ଟାରୀ କମିଟି ଗଠନ କରାଯାଇଛି। କମିଟି ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯାଇଥିବା ବେଳେ, ଏବେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ଗ୍ରୀନ୍ ସିଗନାଲ୍ ଉପରେ।