ଗତ କାଲି ସୁକିନ୍ଦା ଅଞ୍ଚଳରେ ଏହିବର୍ଷ ଆନ୍ତର୍ଜାତିକ ଶ୍ରମିକ ଦିବସ ବିଶେଷ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଥିଲା। ସୁକିନ୍ଦା ବିଜେପି ପକ୍ଷରୁ ଦାନଗଦି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କର ଅଧିକାର, ସମ୍ମାନ ଓ ସମାଜ ଗଠନରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଛି।
କାର୍ଯ୍ୟକ୍ରମରେ ରାଜ୍ୟର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଓଡିଶା ମାଇନିଂ ୟୁନିୟନ ସଭାପତି ସବ୍ୟସାଚୀ ବଳ ସାମନ୍ତ ଏବଂ ସୁକିନ୍ଦା ନିର୍ବାଚନ ପ୍ରଭାରୀ ଦୀପ୍ତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେମାନେ ଯୁକ୍ତଭାବେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଦେଶର ଅର୍ଥନୀତି ଓ ଉନ୍ନତିର ଭିତ୍ତି ହେଉଛନ୍ତି ଶ୍ରମିକମାନେ।

ସେମାନଙ୍କର ପରିଶ୍ରମ ଓ ନିଷ୍ଠା ବିନା ଦେଶର କୌଣସି ମହତ୍ୱପୂର୍ଣ୍ଣ ପ୍ରକଳ୍ପ ସଫଳ ହେବା ସମ୍ଭବ ନୁହେଁ। ସେ ଶ୍ରମିକମାନଙ୍କର ଅଧିକାର ସୁରକ୍ଷା, ସାମାଜିକ ସୁବିଧା ଓ ଜୀବନମାନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ବିସ୍ତାରରେ ଅଲୋଚନା କରିଥିଲେ।
ସବ୍ୟସାଚୀ ବଳ ସାମନ୍ତ ତାଙ୍କ ଉଦ୍ବୋଧନରେ ଖଣି ଶ୍ରମିକମାନଙ୍କ ସମସ୍ୟା, ସୁରକ୍ଷା ବ୍ୟବସ୍ଥା ଓ ଏକତାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ସେ କହିଥିଲେ ଯେ, ଶ୍ରମିକମାନେ ଯଦି ସଙ୍ଗଠିତ ଓ ସଚେତନ ହେବେ, ତେବେ ସେମାନଙ୍କର ଅଧିକାର ଆପେ ଆପେ ଶକ୍ତିଶାଳୀ ହେବ। ଦୀପ୍ତି ମିଶ୍ର ମଧ୍ୟ ଶ୍ରମିକମାନଙ୍କୁ ସମାଜର ମୂଳ ଶକ୍ତି ଭାବେ ବର୍ଣ୍ଣନା କରି, ସେମାନଙ୍କର ସମ୍ମାନ ଓ ସୁରକ୍ଷା ପାଇଁ ସମସ୍ତଙ୍କୁ ଏକତ୍ର ହୋଇ କାମ କରିବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରମିକମାନେ ମଧ୍ୟ ନିଜ ଅନୁଭବ ଅଭିବ୍ୟକ୍ତ କରିଥିଲେ ଓ ସରକାରଙ୍କ ଯୋଜନା ନେଇ ଆଶା ବ୍ୟକ୍ତ କରିଥିଲେ। ଅନେକ ଶ୍ରମିକଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା, ଯାହା ତାଙ୍କୁ ଆଗାମୀ ଦିନରେ ଅଧିକ ପ୍ରେରିତ କରିବାରେ ସହାୟକ ହେବ।ସମଗ୍ର କାର୍ଯ୍ୟକ୍ରମ ଶ୍ରମିକମାନଙ୍କର ଏକତା, ସମ୍ମାନ ଓ ଉନ୍ନତିର ସନ୍ଦେଶ ଦେଇ ସଫଳ ଭାବେ ସମାପ୍ତ ହୋଇଥିଲା। ଯାଜପୁରରୁ ଭାଗିରଥି ନାଥଙ୍କ ରିପୋର୍ଟ ସୂଚନା ଟିଭି…