ସୁଧୀର ପାତ୍ର ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରର ଏହି ଘଟଣାରେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଆଜି ପୋଲିସ ରିମାଣ୍ଡରେ ନେବାକୁ ଯାଉଛି। ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।

ବ୍ରହ୍ମପୁର JMFC କୋର୍ଟ ପୋଲିସର ଆବେଦନକୁ ଗ୍ରହଣ କରି ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡ ସମୟରେ ତଦନ୍ତକାରୀ ଅଧିକାରୀ ହତ୍ୟାକାଣ୍ଡର ମୁଖ୍ୟ କାରଣ ଏବଂ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦିଗଗୁଡ଼ିକ ଉପରେ ଖୋଳତାଡ଼ କରିବେ। ବର୍ତ୍ତମାନ ଅଭିଯୁକ୍ତମାନେ ଜେଲରେ ଥିବା ବେଳେ, କିଛି ସମୟ ପରେ ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇ ଜେରା ଆରମ୍ଭ କରିବ ବୋଲି ସୂଚନା ମିଳିଛି। ପ୍ଲଟ ବ୍ୟବସାୟୀ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଏବେ ଅଭିଯୁକ୍ତମାନଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିବ।