ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ବିଜେପି ‘ମହିଳା ସଂରକ୍ଷଣ’କୁ ଅସ୍ତ୍ର କରି ମଇଦାନକୁ ଓହ୍ଲାଇଥିବା ବେଳେ, ମମତା ବାନାର୍ଜୀ ନିଜର ଶକ୍ତିଶାଳୀ ‘ମହିଳା ବ୍ରିଗେଡ୍’ ଜରିଆରେ ବିରୋଧୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ପଶ୍ଚିମବଙ୍ଗରେ ମହିଳାମାନେ କେବଳ ଭୋଟର ନୁହନ୍ତି, ବରଂ ସରକାର ଗଠନରେ ମୁଖ୍ୟ ନିର୍ଣ୍ଣାୟକ ସାଜିଛନ୍ତି। ୨୦୨୧ ନିର୍ବାଚନରେ ମହିଳାଙ୍କ ମତଦାନ ହାର ପ୍ରାୟ ୮୨.୩୫% ରହିଥିଲା। ରାଜ୍ୟରେ ୩ କୋଟିରୁ ଅଧିକ ମହିଳା ଭୋଟର ଅଛନ୍ତି।

୨୦୨୪ ଲୋକସଭାରେ ବଙ୍ଗଳା ଦେଶକୁ ସର୍ବାଧିକ ୧୧ ଜଣ ମହିଳା ସାଂସଦ ପଠାଇ ନିଜର ସଚେତନତା ପ୍ରମାଣିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି: ସନ୍ଦେଶଖାଲି ଘଟଣାକୁ ନେଇ ମୋଦୀ ମମତା ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ‘ମହିଳା ସଂରକ୍ଷଣ’ କାର୍ଡ ଖେଳିଛନ୍ତି। ବିଜେପି ‘ଡବଲ୍ ଇଞ୍ଜିନ’ ସରକାର ଜରିଆରେ ମହିଳାଙ୍କୁ ସମୃଦ୍ଧି ଓ ସୁରକ୍ଷାର ଗ୍ୟାରେଣ୍ଟି ଦେଉଛି। ବିଜେପିକୁ ରୋକିବା ପାଇଁ ମମତା ବାନାର୍ଜୀ ଅନେକ ଲୋକପ୍ରିୟ ଚେହେରାଙ୍କୁ ମଇଦାନକୁ ଓହ୍ଲାଇଛନ୍ତି: ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ଶତାବ୍ଦୀ ରୟ, ସାୟୋନୀ ଘୋଷ, ଜୁନ୍ ମାଲିଆ ଏବଂ ରଚନା ବାନାର୍ଜୀଙ୍କ ଭଳି ନେତ୍ରୀମାନେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ଟିଏମସିର ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନା ମହିଳାଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି, ଯାହା ମମତାଙ୍କ ପାଇଁ ଏକ ମଜବୁତ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଛି। ଏହି ନିର୍ବାଚନରେ ଟିଏମସି ସର୍ବାଧିକ ୫୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମାତ୍ର ୩୩ ଜଣଙ୍କୁ ସୁଯୋଗ ଦେଇଛି। ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ, ଟିଏମସିର ମହିଳା ବ୍ରିଗେଡ୍ ଯେଉଁଭଳି ଭାବେ ଘରକୁ ଘର ଯାଇ ସମ୍ପର୍କ ସ୍ଥାପନ କରିଛନ୍ତି, ତାହାକୁ ଭେଦ କରିବା ବିଜେପି ପାଇଁ କଷ୍ଟକର ହୋଇପାରେ। ବଙ୍ଗଳାର ମା’ ଭଉଣୀମାନେ ମୋଦୀଙ୍କ ‘ଗ୍ୟାରେଣ୍ଟି’ ଉପରେ ଭରସା କରୁଛନ୍ତି ନା ନିଜ ‘ଦିଦି’ଙ୍କ ହାତକୁ ମଜବୁତ କରୁଛନ୍ତି, ତାହା ଫଳାଫଳ ପରେ ହିଁ ସ୍ପଷ୍ଟ ହେବ।