ତାମିଲନାଡୁର ସମସ୍ତ ୨୩୪ଟି ବିଧାନସଭା ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ପ୍ରାୟ ୫ କୋଟିରୁ ଅଧିକ ଭୋଟର ୪ ହଜାରରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଶାସକ ଦଳ ନିଜର ଗଡ଼ ରକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇଛି। ବିରୋଧୀ ମେଣ୍ଟ କ୍ଷମତାକୁ ଫେରିବା ପାଇଁ ଜୋରଦାର କସରତ କରୁଛନ୍ତି। ସୁପରଷ୍ଟାର ବିଜୟଙ୍କ ନୂତନ ଦଳ ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଦେଇ ନିର୍ବାଚନକୁ ରୋମାଞ୍ଚକର କରିଛି।

ଗତ ନିର୍ବାଚନରେ ଡିଏମକେ ୧୩୩ଟି ଆସନ ଜିତି ସରକାର ଗଠନ କରିଥିବା ବେଳେ ଏଆଇଏଡିଏମକେ ୬୦, ବିଜେପି ୪ ଏବଂ ପିଏମକେ ୩ଟି ଆସନ ଅକ୍ତିଆର କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ଏଥର ଦଳ ପରିବର୍ତ୍ତନ କରି ଡିଏମକେ ଟିକେଟରେ ଲଢୁଥିବା ବେଳେ, ବିଜୟଙ୍କ ଟିଭିକେ ପାର୍ଟି କାହାର ଭୋଟ୍ କାଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଭୋଟ ଗ୍ରହଣ ଶେଷ ହେବା ପରେ ଏବଂ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିର୍ବାଚନ କମିଶନ ମତଦାନ ହାର ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିବେ। ଅଭିନେତା ବିଜୟଙ୍କ ପ୍ରଥମ ନିର୍ବାଚନୀ ପଦାର୍ପଣ ଏଥର ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିପାରେ।