ପୋଲିସ vs ପାୱାର: କାହାର ହେବ ଜିତ ?

ବିଧାୟକ ପୁଅଙ୍କ ଗାଡ଼ି ଆତଙ୍କ: ୫ ଜଣ ଆହତ
ପୋଲିସକୁ ଧମକ ଦେଲେ ବିଧାୟକ!
ମୋ ବାପା MLA—ଅଭିଯୁକ୍ତଙ୍କ ଦାବି
ଦୁର୍ଘଟଣା ପରେ ଘଟଣାସ୍ଥଳ ଛାଡ଼ିଲେ ଅଭିଯୁକ୍ତ
ବିବାଦରେ ବିଧାୟକ ପ୍ରୀତମ ଲୋଧି
ପୂର୍ବରୁ ରହିଛି ଅପରାଧିକ ରେକର୍ଡ

ହଁ ଆଜ୍ଞା ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଛି। ପିଛୋର ବିଧାନସଭା ଅଞ୍ଚଳର ବିଜେପି ବିଧାୟକ ପ୍ରୀତମ ଲୋଧିଙ୍କ ପୁଅ ଦିନେଶ ଲୋଧିଙ୍କ ନାମରେ ଗୁରୁତର ଅଭିଯୋଗ ଆସିଛି ଯେ, ସେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଏକାଥରେ ପାଞ୍ଚ ଜଣଙ୍କୁ ଧକ୍କା ଦେଇଥିଲେ। ଘଟଣାଟି ଏପ୍ରିଲ ୧୬ ତାରିଖ ସକାଳ ପ୍ରାୟ ସାଢେ ୭ଟା ସମୟରେ କରେରା ପୋଲିସ ଷ୍ଟେସନ ସମ୍ମୁଖରେ ଘଟିଥିବା କୁହାଯାଉଛି ।

ଅଭିଯୋଗ ଅନୁସାରେ, ଦୁର୍ଘଟଣା ପରେ ଦିନେଶ ଘଟଣାସ୍ଥଳରୁ ଛୁ ମାରିଥିଲେ। ସୂଚନା ମୁତାବକ ଦୁର୍ଘଟଣା ପରେ ମାତ୍ର ଘଟଣା 500 ମିଟର ଦୂରରେ ରହିଥିବା ଜିମ୍ ରେ ପହଁଞ୍ଚିଥିଲେ ଦିନେଶ । ପୀଡିତମାନଙ୍କ କହିବା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ନିଜ ପରିଚୟ ଦେଇ କହିଥିଲେ ଯେ ତାଙ୍କ ବାପା ଜଣେ ବିଧାୟକ ଓ ସେ ସମସ୍ତ କେସ୍ ସମ୍ଭାଳି ନେବେ।

ଏହା ସହିତ ସେ ପୋଲିସଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ରହିଛି । କଥା ଖାଲି ସେମିତି ଶେଷ ହୋଇନଥିଲା । ପୋଲିସ ଯେତେବେଳେ ଦିନେଶଙ୍କୁ ଅଟକ ରଖିଥିଲେ, ସେତେବେଳେ ବିଧାୟକ ପ୍ରୀତମ ଲୋଧି ସ୍ୱୟଂ ଥାନାକୁ ଆସି ପୋଲିସକୁ ଧମକ ଦେଇଥିବା ଅଭିଯୋଗ ଆସିଛି। ସେ ପୋଲିସ ଅଧିକାରୀଙ୍କୁ କଠୋର ଭାବରେ ପ୍ରଶ୍ନ କରିଥିଲେ ଏବଂ ନିଜ ପ୍ରଭାବ ଦେଖାଇବାକୁ ଚେଷ୍ଟା କରିଥିବା କୁହାଯାଉଛି । ଏହି ଘଟଣାର ଭିଡିଓ ଓ ଖବର ସାମ୍ନାକୁ ଆସିବା ପରେ ବିଧାୟକଙ୍କ ବ୍ୟବହାର ଉପରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି।

ବିଧାୟକ ପ୍ରୀତମ ଲୋଧିଙ୍କ ପୂର୍ବ ଇତିହାସ ମଧ୍ୟ ବିବାଦମୟ । ପୋଲିସ ରେକର୍ଡ ଅନୁଯାୟୀ, ତାଙ୍କ ବିରୋଧରେ ମୋଟ ୯ଟି ମାମଲା ରହିଛି, ଯାହା ହତ୍ୟା ଓ ହତ୍ୟା ପାଇଁ ଚେଷ୍ଟା କରିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ରହିଛି ।ଖାଲି ସେତିକି ନୁହେଁ ପ୍ରାୟ ୨୦ ବର୍ଷ ପୂର୍ବେ ଗ୍ୱାଲିୟରର ହାଜିରା ଥାନାରେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ତାଙ୍କ ନାମରେ ଥିଲା । ପୁଅ ଦିନେଶ ଲୋଧିଙ୍କ ରେକର୍ଡ ମଧ୍ୟ ଏହାରୁ ଅଲଗା ନୁହେଁ। ତାଙ୍କ ବିରୋଧରେ ଧମକ ଦେବା, ପୂର୍ବରୁ ଗାଡ଼ି ଚଢ଼ାଇ ଦେବା ଓ ବଟି ଆଦାୟ ଭଳି ଅଭିଯୋଗ ରହିଛି । ପରିବାରଟି ଆଇନକୁ ଗୁରୁତ୍ୱ ନଦେଇ ନିଜ ପ୍ରଭାବରେ କାମ କରୁଥିବା ଧାରଣା ସୃଷ୍ଟି ହେଉଛି ।

ଏସମସ୍ତ ଘଟଣା ରାଜନୈତିକ ପ୍ରଭାବ ଓ ଆଇନ ଶାସନ ମଧ୍ୟରେ ରହିଥିବା ସଂଘର୍ଷକୁ ଉଜାଗର କରିଛି । ଜଣେ ଜନପ୍ରତିନିଧି ଭାବେ ନିଜ ଦାୟିତ୍ୱ ବୁଝିବାରୁ ବଞ୍ଚି ଯଦି କେହି ପ୍ରଭାବ ଦେଖାଇ ଆଇନକୁ ଅବହେଳା କରନ୍ତି, ତେବେ ଏହା ଲୋକତନ୍ତ୍ର ପାଇଁ ଭଲ ସଙ୍କେତ ନୁହେଁ। ଏବେ ଦେଖିବାକୁ ବାକିରହିଲା ରହିଲା, ପୋଲିସ ଓ ପ୍ରଶାସନ ଏହି ମାମଲାରେ କେତେଦୂର ପର୍ଯ୍ୟନ୍ତ ନିଷ୍ପକ୍ଷ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।