ଶାଢ଼ୀ ଦେଖିବା ଥିଲା ନାଟକ, ଉଦେଶ୍ୟ ଥିଲା ଲୁଟର

ଅନୁଗୁଳ ସହରରେ ଥିବା ବୟନିକା ଶୋରୁମରେ ଘଟିଛି ଏକ ଚମତ୍କାର ଓ ଚିନ୍ତାଜନକ ଚୋରି ଘଟଣା। ଶନିବାର ଦିନ ୧.୧୫ ବେଳେ ଇନୋଭା କାରରେ ଆସିଥିବା ୬ ଜଣ ମହିଳା ଓ ଜଣେ ପୁରୁଷ ଗ୍ରାହକ ବେଶରେ ଶୋରୁମ ଭିତରକୁ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ବିଭିନ୍ନ ପାଟ ଶାଢ଼ୀ ଦେଖିବାର ନାମରେ କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ଧୀରେ ଧୀରେ ସମସ୍ତଙ୍କ ଧ୍ୟାନ ଅନ୍ୟତ୍ର କରିଦେଇଥିଲେ।

ଯୋଜନାବଦ୍ଧ ଭାବେ ଗ୍ୟାଙ୍ଗର କିଛି ସଦସ୍ୟ କର୍ମଚାରୀଙ୍କୁ ବ୍ୟସ୍ତ ରଖିଥିବାବେଳେ, ଅନ୍ୟମାନେ ସୁଯୋଗ ନେଇ ଦାମୀ ପାଟ ଶାଢ଼ୀଗୁଡ଼ିକୁ ଚୁପଚାପ ଲୁଚାଇବାରେ ଲାଗିଥିଲେ। ଅଭିନବ ଉପାୟରେ ସେମାନେ ଶାଢ଼ୀଗୁଡ଼ିକୁ ଆଣ୍ଠୁ ମଝିରେ ଜାକି ଦେହ ସହ ଲଗାଇ ରଖିଥିଲେ, ଯାହା ଦେଖି କେହି ସନ୍ଦେହ କରିପାରିନଥିଲେ। ଏଭଳି ଦୁଇ ଥରରେ ସେମାନେ ମୋଟ ୨୫ଟି ଶାଢ଼ୀ ନେଇ ପଳାଇଥିଲେ, ଯାହାର ମୋଟ ମୂଲ୍ୟ ପ୍ରାୟ ୭.୫ ଲକ୍ଷ ଟଙ୍କା ହେବାକୁ ଆନୁମାନ କରାଯାଇଛି।

ଘଟଣା ପରେ ଶୋରୁମ କର୍ତ୍ତୃପକ୍ଷ ଷ୍ଟକ୍ ଯାଞ୍ଚ କରିବା ସମୟରେ ଶାଢ଼ୀ ମିସିଙ୍ଗ କଥା ଧରାପଡ଼ିଥିଲା । ପରେ ସିସିଟିଭି ଫୁଟେଜ ଯାଞ୍ଚ କରାଯିବାରୁ ସମସ୍ତ ଘଟଣା ସ୍ପଷ୍ଟ ହୋଇଥିଲା। ଫୁଟେଜରେ ଦେଖାଯାଉଛି କିପରି ଗ୍ୟାଙ୍ଗ ସଦସ୍ୟମାନେ ଯୋଜନାବଦ୍ଧ ଭାବେ ଏହି ଲୁଟ୍କାଣ୍ଡ କରିଛନ୍ତି।

ଏନେଇ ବୟନିକା ପକ୍ଷରୁ ଥାନାରେ ଅଭିଯୋଗ ଦାଖଲ ହୋଇଛି। ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ କେଉଁଠୁ ଆସିଥିଲେ ଓ ସେମାନଙ୍କ ପୂର୍ବ ଅପରାଧ ରେକର୍ଡ ଅଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି। ସହରରେ ଏପରି ଚତୁର ଧାରାରେ ଘଟିଥିବା ଲୁଟ୍ ଘଟଣା ଲୋକମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି କରିଛି । ବିଶେଷ କରି ସୁନା ଦୋକାନରୁ ସୁନା ଗହଣା ଲୁଟର ଘଟଣା ସାମ୍ନାକୁ ଆସିଥିଲା କିନ୍ତୁ ଏବେ ମାର୍କେଟରେ ପାଟ ଶାଢୀ ଚୋରୀ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।
ଶାଢ଼ୀ ଦେଖିବା ଥିଲା ନାଟକ, ଉଦେଶ୍ୟ ଥିଲା ଲୁଟର
ବୟନିକାରେ ବ୍ଲକବାସ୍ଟର ଚୋରି,ମହିଳା ଗ୍ୟାଙ୍ଗର ପରଦାଫାସ୍
ଶୋରୁମରୁ ମହଙ୍ଗା ଶାଢ଼ୀ ଗାୟବ, ସିସିଟିଭିରେ ଚିହ୍ନଟ ହେଲା ଚୋର
ସ୍ମାର୍ଟ ଲୁଟ୍ର ନୂଆ ଷ୍ଟାଇଲ୍, ଗ୍ରାହକ ବେଶରେ ଆସିଲେ …