
ଆଉ ବାହାରି ହେବନି ଘରୁ । ଟାଣ ଖରାରେ ଜଳିବ ସାରା ଓଡ଼ିଶା । ଏବେଠାରୁ ଅତିଶୟ ହେଲାଣୀ ଗରମ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ସପ୍ତାହ ଯାଏ ରାଜ୍ୟରେ ତାତିରୁ କୌଣସି ରାହାତ୍ ମିଳିବା ସମ୍ଭାବନା ନାହିଁ । ବିଶେଷକରି ଉପକୂଳ ଓଡ଼ିଶାରେ ଗରମ ସହିତ ଗୁଳୁଗୁଳି ଲୋକଙ୍କୁ ଅଧିକ ଅସୁବିଧାରେ ପକାଇବ ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଭଳି ୧୧ଟି ଜିଲ୍ଲାରେ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଅଞ୍ଚଳଗୁଡ଼ିକରେ ଦିନ ତାପମାତ୍ରା ସହିତ ଆର୍ଦ୍ରତା ବଢ଼ିବାରୁ “ଫିଲ୍ ଲାଇକ୍” ଟେମ୍ପେରେଚର୍ ଅଧିକ ଅନୁଭବ ହେବ । କାଲିଠୁ ଏହି ପରିସ୍ଥିତି ଆଉ ତୀବ୍ର ହେବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ୧୪ ତାରିଖରେ ବଲାଙ୍ଗିର ଓ ବରଗଡ଼ରେ ହିଟ୍ ୱେଭ୍ ପରିସ୍ଥିତି ଗୁରୁତର ହେବାର ସତର୍କବାଣୀ ରହିଛି। ପାଣିପାଗ ବିଭାଗ କହିଛି ଯେ, ୧୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗରମ ସହିତ ଗୁଳୁଗୁଳି ଜାରି ରହିବ। ବିଶେଷକରି ପଣା ସଂକ୍ରାନ୍ତି ପରେ ତାପମାତ୍ରା ଆଉ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ, ଯାହାର ପ୍ରଭାବରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉର୍ଦ୍ଧ୍ୱରେ ପହଞ୍ଚିବ । ପଶ୍ଚିମ ଓ ମଧ୍ୟ ଭାରତରୁ ଆସୁଥିବା ଶୁଷ୍କ ଗରମ ପବନ ଏବଂ ସମୁଦ୍ର କୂଳ ଅଞ୍ଚଳରେ ବଢ଼ୁଥିବା ଆର୍ଦ୍ରତାକୁ ମୁଖ୍ୟ କାରଣ ବୋଲି ମନେ କରାଯାଉଛି । ବର୍ଷାର ଅଭାବ ମଧ୍ୟ ଏହି ପରିସ୍ଥିତିକୁ ଆଉ ଗୁରୁତର କରୁଛି ।

ଲୋକମାନଙ୍କୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପ୍ରଚୁର ପରିମାଣରେ ପାଣି, ଓଆରଏସ୍, ପଣା ଭଳି ଶୀତଳ ପାନୀୟ ପିଇବାକୁ କୁହାଯାଇଛି। ବୃଦ୍ଧ ଓ ଶିଶୁମାନେ ବିଶେଷ ସତର୍କ ରହିବା ଆବଶ୍ୟକ । ସାରା ରାଜ୍ୟରେ ଏବେ ତାତିର ଦାହ ଚାଲିଥିବାବେଳେ ଆଗାମୀ କିଛି ଦିନ ଲୋକମାନେ ଆହୁରି କଷ୍ଟ ଭୋଗିବାକୁ ପଡ଼ିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି ।