ଦୀର୍ଘ ୨ ଦଶନ୍ଧି ଧରି ବିହାରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ସମୟ ଶେଷ ହେବାକୁ ଯାଉଛି। ଶୁକ୍ରବାର ସେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବାକୁ ବିହାର ଛାଡ଼ି ଦିଲ୍ଲୀ ଯିବେ। ତାଙ୍କ ସହ ବିହାରରେ ରାଜ୍ୟସଭା ନିର୍ବାଚନ ଜିତିଥିବା ସଞ୍ଜୟ ଝା ଓ ବିଜୟ କୁମାର ଚୌଧୁରୀ ମଧ୍ୟ ଦିଲ୍ଲୀ ଯାଇ ଶପଥ ଗ୍ରହଣ କରିବେ।

ରାଜ୍ୟସଭା ସାଂସଦ ଭାବେ ଶପଥ ନେବା କ୍ଷଣୀ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ କୁମାର। ଏହାପରେ ବିଜେପିର ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୧୪ରେ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେହିଦିନ ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ବିଧାୟକ ଦଳ ବୈଠକ ବସିବ। ଏହି ସମୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ ହେବ।