କୋଟି କୋଟି ଖର୍ଚ୍ଚ ପରେ ବ୍ରେକ୍—ମେଟ୍ରୋ ନା ମାତ୍ର ମିଥ୍ୟା ସ୍ୱପ୍ନ?”

ଭୁବନେଶ୍ବର , ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ରାଜ୍ୟରେ ଏବେ ରାଜନୈତିକ ଓ ପ୍ରଶାସନିକ ଚର୍ଚ୍ଚା ଜୋର ଧରିଛି। ବହୁ ଆଶା ଓ ଆକାଂକ୍ଷା ମଧ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ, ବର୍ତ୍ତମାନ ସ୍ଥଗିତ ଅବସ୍ଥାକୁ ପହଞ୍ଚିଥିବା ସୂଚନା ମିଳିଛି। ରାଜ୍ୟ କ୍ୟାବିନେଟ୍ ସମ୍ପ୍ରତି ନିଷ୍ପତ୍ତି ନେଇ ଏହି ପ୍ରକଳ୍ପକୁ ପୁନଃବିଚାର କରିବାକୁ ଠିକ୍ କରିଛନ୍ତି। ସରକାରଙ୍କ ମତାନୁସାରେ, ଏହି ପ୍ରକଳ୍ପ ଆଶାଜନକ ଆର୍ଥିକ ଲାଭ ଦେବା ସମ୍ଭାବନା କମ୍ ଏବଂ ଆଶା ଅନୁଯାୟୀ ଯାତ୍ରୀ ସଂଖ୍ୟା ମଧ୍ୟ ହେବ ନାହିଁ ବୋଲି ଦର୍ଶାଯାଇଛି ।ପୂର୍ବରୁ ଏହି ମେଟ୍ରୋ ପ୍ରକଳ୍ପ ପାଇଁ Delhi Metro Rail Corporation (DMRC) ସହ ଚୁକ୍ତି କରାଯାଇଥିଲା । DMRC ପକ୍ଷରୁ ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତି, ପ୍ରାବିଧିକ ପରାମର୍ଶ ଓ ନିର୍ମାଣ ତଦାରଖ ଦାୟିତ୍ୱ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସେହି ଚୁକ୍ତିକୁ ସରକାର ବାତିଲ୍ କରିଦେଇଛନ୍ତି, ଯାହା ପ୍ରକଳ୍ପର ଗତିକୁ ଅସ୍ଥାୟୀ ଭାବେ ରୋକିଦେଇଛି ।

ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ବିଜେଡି ସରକାର ଅମଳରେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଲମ୍ବା ଏକ ଏଲିଭେଟେଡ୍ କରିଡର ଉପରେ ମେଟ୍ରୋ ଚଳାଣ ପ୍ରସ୍ତାବ ଥିଲା। ଏହା ଭୁବନେଶ୍ୱର ଓ କଟକ ମଧ୍ୟରେ ଯାତାୟାତକୁ ସହଜ କରିବା ସହିତ ସହରର ଆଧୁନିକ ପରିବହନ ବ୍ୟବସ୍ଥାକୁ ଶକ୍ତ କରିବ ବୋଲି ଆଶା କରାଯାଉଥିଲା। ବିଭିନ୍ନ ନିର୍ମାଣ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାମ ମଧ୍ୟ ଆବଣ୍ଟନ କରାଯାଇଥିଲା।ତଥାପି, ଇଣ୍ଟର ମିନିଷ୍ଟ୍ରିଆଲ କମିଟି (IMC)ର ସୁପାରିସ ଅନୁସାରେ ପ୍ରକଳ୍ପର ଆର୍ଥିକ ସମ୍ଭାବ୍ୟତା ଓ ବ୍ୟବହାରକାରୀ ସଂଖ୍ୟା ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହାର ପରିଣାମରେ ରାଜ୍ୟ ସରକାର ପ୍ରକଳ୍ପକୁ ଆଗକୁ ବଢ଼ାଇବା ପୂର୍ବରୁ ପୁନଃମୂଲ୍ୟାୟନ କରିବାକୁ ଠିକ୍ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ସରକାର ଆର୍ଥିକ ଭାବେ ଅନୁକୂଳ ଉପଯୋଗୀ ପରିବହନ ବ୍ୟବସ୍ଥା ଖୋଜିବାକୁ ଚାହୁଁଛନ୍ତି।ଏହା ସହିତ, ରାଜ୍ୟ କ୍ୟାବିନେଟ୍ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥିକ କରିଡର ଉନ୍ନୟନ ଉପରେ ବେଶି ଗୁରୁତ୍ୱ ଦେଇଛନ୍ତି। ଏହି କରିଡର ଦ୍ୱାରା ଶିଳ୍ପ, ବ୍ୟାପାର ଓ ଯାତାୟାତରେ ଗତି ଆସିବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ପାଇଁ Asian Development Bank (ADB) କୁ ବୈଷୟିକ ସହଯୋଗ ପାଇଁ ନିଯୁକ୍ତ କରାଯାଇଛି ।

ଏହି ସମୟରେ ମେଟ୍ରୋ ପ୍ରକଳ୍ପରେ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ହୋଇଥିବା ପ୍ରାୟ ୨୭୩.୫୧ କୋଟି ଟଙ୍କା ଖର୍ଚ୍ଚକୁ ସରକାର ମଞ୍ଜୁର କରିଥିଲେ। ଏହା ଦେଖାଉଛି ଯେ ପ୍ରକଳ୍ପର ପ୍ରାରମ୍ଭିକ ଚରଣରେ ବହୁ ଅର୍ଥବ୍ୟୟ ହୋଇସାରିଛି, ଯାହାକୁ ସରକାର ମଧ୍ୟ ଗ୍ରହଣ କରିସାରିଛନ୍ତି । ତେବେ ବିରୋଧି ବିଜେଡି ମଧ୍ୟ ରାସ୍ତାକୁ ଓହ୍ଲାଇଥିବା ସହିତ ସରକାରଙ୍କ ମେଟ୍ରୋ ପ୍ରକଳ୍ପ ଡବଲଷ୍ଟଣ୍ଡ ରଖୁଥିବା କହିଛି ।ସେପଟେ ବିଜେପି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ପୂରାପୂରି ବନ୍ଦ କରାଯାଇନାହିଁ ବୋଲି କହିଛି,ତେବେ ଆଗାମୀ ଦିନରେ ସରକାର କେମିତି ନୂଆ ମଡେଲ୍ ନେଇ ଆସିବେ ନା ପୁଣି ରାଜଧାନୀବାସିଙ୍କୁ ଛୋଟପିଲାଙ୍କୁ ଭଣ୍ଡେଇବା ଭଲି ଭଣ୍ଡେଇ ଦିଆଯାଉଛି ତାକୁହିଁ କେବଳ ଅପେକ୍ଷା ।