ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସାଲୁର୍ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ଟ୍ରକ୍ ରାସ୍ତା ମଝିରେ ଓଲଟି ପଡ଼ିବାରୁ ୨୬ ନଂ ଜାତୀୟ ରାଜପଥରେ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଓଡ଼ିଶାର ଜୟପୁରରୁ ଚାଉଳ ଲୋଡ୍ କରି ଏକ ଟ୍ରକ୍ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା।
ମାତ୍ର ସାଲୁର୍ ଘାଟିର ଏକ ବିପଦଜନକ ବୁଲାଣିରେ ଚାଳକ ଜଣକ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା ଏବଂ ସମସ୍ତ ଚାଉଳ ବସ୍ତା ରାସ୍ତାରେ ବିକ୍ଷିପ୍ତ ହୋଇ ପଡ଼ିଥିଲା। ଟ୍ରକଟି ରାସ୍ତା ମଝିରେ ଓଲଟିଥିବାରୁ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଏହି ମୁଖ୍ୟ ମାର୍ଗଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ରାତି ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶତାଧିକ ଯାତ୍ରୀବାହୀ ବସ୍ ଏବଂ ମାଲ୍ବାହୀ ଟ୍ରକ୍ ଘାଟିର ଦୁଇ ପାର୍ଶ୍ୱରେ ଅଟକି ରହିଥିଲେ। ଛୋଟ ପିଲା ଏବଂ ରୋଗୀମାନେ ଅତ୍ୟଧିକ ଶୀତ ଓ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଆନ୍ଧ୍ରର ପାସପେଣ୍ଡା ପୋଲିସ୍ ସକାଳ ପ୍ରାୟ ୮ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସର ଏହି ବିଳମ୍ବିତ କାର୍ଯ୍ୟାନୁଷ୍ଠାନକୁ ନେଇ ଅଟକି ରହିଥିବା ଯାତ୍ରୀ ଓ ଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ପୋଲିସ୍ ପହଞ୍ଚିବା ପରେ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ହଟାଇବା ସହ ରାସ୍ତା ଉପରୁ ଚାଉଳ ବସ୍ତାଗୁଡ଼ିକୁ ସଫା କରାଯାଇଥିଲା।

ପ୍ରାୟ ୬ ଘଣ୍ଟାର କସରତ ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। ବର୍ତ୍ତମାନ ଉଭୟ ପାର୍ଶ୍ୱରୁ ଗାଡ଼ି ଚଳାଚଳ ଧୀରେ ଧୀରେ ନିୟନ୍ତ୍ରିତ ହେଉଛି। ସାଲୁର୍ ଘାଟିର ଏହି ବୁଲାଣିଆ ରାସ୍ତା ଦୁର୍ଘଟଣା ପ୍ରବଣ ହୋଇଥିବାରୁ ରାତି ସମୟରେ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।