ସରକାରୀ ଯୋଜନା ଓ ବଜେଟ୍ ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଆରମ୍ଭ ହୋଇଥିବା “ଆମେ ଜାଣିବା ଆମ ବଜେଟ୍” ଅଭିଯାନ ଆଜି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଖୁଡ଼ି ଗ୍ରାମପଞ୍ଚାୟତରେ ଏକ ଭିନ୍ନ ମୋଡ଼ ନେଇଛି। ପଞ୍ଚାୟତ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାମ ସଭାଟି ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ବିବାଦୀୟ ହୋଇପଡ଼ିଛି।

ଏହି ସଭାରେ ସ୍ଥାନୀୟ ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ ସଭ୍ୟଙ୍କ ସମେତ ପିଇଓ, ଜିଆରଏସ, ଯୋଗାଣ ସହାୟକ, ଅଙ୍ଗନବାଡି କର୍ମୀ, ଏମ୍ବିକେ, କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ଯୋଗ ଦେଇଥିଲେ। ପଞ୍ଚାୟତ ସ୍ତରୀୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଚିଠା ପ୍ରସ୍ତୁତ ଓ ବଜେଟ୍ ଉପରେ ଆଲୋଚନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଲାଇନ୍ ବିଭାଗର (Line Departments) କୌଣସି ଜଣେ ହେଲେ ଉଚ୍ଚପଦସ୍ଥ ଅଧିକାରୀ ସେଠାରେ ପହଞ୍ଚି ନଥିଲେ।

ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ବିଦ୍ୟୁତ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରତିନିଧିମାନେ ଅନୁପସ୍ଥିତ ରହିବା ଫଳରେ ଗ୍ରାମବାସୀମାନେ ନିଜର ସମସ୍ୟା କାହା ଆଗରେ ରଖିବେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯଦି ବଜେଟ୍ ଆଲୋଚନା ବେଳେ ସରକାରୀ ବାବୁମାନେ ହିଁ ରହିବେ ନାହିଁ, ତେବେ ଗ୍ରାମ ସଭାର ମୂଲ୍ୟ କ’ଣ? ଏହା କ’ଣ କେବଳ ଏକ ପ୍ରହସନ?” – ସ୍ଥାନୀୟ ଗ୍ରାମବାସୀ ସରକାରୀ କର୍ମଚାରୀଙ୍କ ଏଭଳି ଅନୁପସ୍ଥିତି ସେମାନଙ୍କର ସ୍ଥାନୀୟ ଲୋକଙ୍କ ପ୍ରତି ଥିବା ଅବହେଳାକୁ ସ୍ପଷ୍ଟ କରୁଛି। ଏହି ଘଟଣା ପରେ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ଅଞ୍ଚଳବାସୀ।

ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବଜେଟ୍ର ରୂପରେଖ ପ୍ରସ୍ତୁତ ବେଳେ ଦାୟିତ୍ୱହୀନତା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।