ଚେପକରେ ଚମକିଲେ ସରଫରାଜ: ପଞ୍ଜାବ ବିରୋଧରେ ଖେଳିଲେ ଧୂଆଁଧାର ଇନିଂସ

ଆଇପିଏଲ ୨୦୨୬ର ସପ୍ତମ ମ୍ୟାଚ୍‌ରେ ଏକ ହାଇ-ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି ଚେନ୍ନାଇର ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ। ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଚାଲିଥିବା ଏହି ମ୍ୟାଚ୍‌ରେ ଫଳାଫଳ ଯାହା ହେଉନା କାହିଁକି, ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ସରଫରାଜ ଖାନ |

ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ଆସି ସରଫରାଜ ପଞ୍ଜାବ ବୋଲରଙ୍କୁ ନାକେଦମ୍ କରିଦେଇଥିଲେ। ମାତ୍ର ୧୨ ଟି ବଲରୁ ୩୨ ରନ ସଂଗ୍ରହ କରି ସେ ଚେପକ୍ ଗ୍ୟାଲେରୀରେ କମ୍ପନ ସୃଷ୍ଟି କରିଥିଲେ। ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ୧ଟି ବିଶାଳ ଛକା ସାମିଲ ଥିଲା| ୨୬୬.୬୭ ଷ୍ଟ୍ରାଇକ ରେଟରେ ଖେଳି ସେ ପ୍ରମାଣ କରିଥିଲେ ଯେ ସେ କେବଳ ଟେଷ୍ଟ ନୁହେଁ, ବରଂ ଟି-୨୦ରେ ମଧ୍ୟ ଜଣେ ଦୁର୍ଦ୍ଦାନ୍ତ ବ୍ୟାଟର। ବିଶେଷ କରି ତାଙ୍କର ସେହି ପାରମ୍ପରିକ ‘ସ୍କୁପ୍’ ଏବଂ ‘ଲ୍ୟାପ୍’ ଶଟ୍ ପୁଣି ଥରେ ପ୍ରଶଂସକଙ୍କୁ ପୁରୁଣା ଦିନର ସ୍ମୃତି ମନେ ପକାଇ ଦେଇଥିଲା |

ଏହି ମ୍ୟାଚ୍ ଏକ ଭିନ୍ନ କାରଣ ପାଇଁ ମଧ୍ୟ ଖାସ୍ ଥିଲା। ପଡ଼ିଆରେ ଦୁଇ ଭାଇ ମୁହାଁମୁହିଁ ହୋଇଥିଲେ। ବଡ଼ ଭାଇ ସରଫରାଜ ଖାନ CSK ପକ୍ଷରୁ ଖେଳୁଥିବା ବେଳେ ସାନ ଭାଇ ମୁଶୀର ଖାନ ପଞ୍ଜାବ କିଙ୍ଗସ ଶିବିରରେ ଥିଲେ। ଏହି ସମୟରେ ସେମାନଙ୍କ ବାପା ନୌଶାଦ ଖାନଙ୍କ ଉପସ୍ଥିତି ସମସ୍ତଙ୍କୁ ଭାବୁକ କରିଥିଲା। ସେ ସିଏସକେର ଜର୍ସି ସହ ପଞ୍ଜାବର କ୍ୟାପ୍ ପିନ୍ଧି ଉଭୟ ପୁଅଙ୍କୁ ଉତ୍ସାହିତ କରୁଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆୟୁଷ ମାତ୍ରେଙ୍କ ୭୩ ରନ୍ ଏବଂ ସରଫରାଜଙ୍କ ୩୨ ରନ୍ ବଳରେ ଚେନ୍ନାଇ ୨୦୯ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ହେଲେ ପଞ୍ଜାବ ପକ୍ଷରୁ ଶ୍ରେୟସ ଆୟର ୫୦ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ପଞ୍ଜାବ ୧୮.୪ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଯଦିଓ ଚେନ୍ନାଇ ମ୍ୟାଚ୍ ହାରିଲା, କିନ୍ତୁ ସରଫରାଜଙ୍କୁ ପ୍ରଶଂସକମାନେ CSKର ନୂଆ ଆମ୍ବିତ ରାୟୁଡୁ ବୋଲି କହିବା ଆରମ୍ଭ କରିଦେଇଛନ୍ତି |