ପାରାଦୀପ ବିଜୟଚାନ୍ଦପୁର ଅଞ୍ଚଳରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ନାକେଦମ୍ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ସମୟରେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ କର୍ମଚାରୀ । ଏହି ସୁଯୋଗରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ମଦନ ରାଉତ ଫେରାର ହୋଇଯାଇଥିବା ବେଳେ ଏକାଧିକ ପୋଲିସ କର୍ମଚାରୀମାନେ ଆହତ ହୋଇଥିବା ସୂଚନା ମିଳିଛି |
ଖବର ଅନୁଯାୟୀ, ଏକ ମାମଲାରେ ସନ୍ଦିଗ୍ଧ ଥିବା ବିଜୟଚାନ୍ଦପୁରର ମଦନ ରାଉତ ହନୁମାନ ମନ୍ଦିର ନିକଟରେ ଥିବା ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସର ଏକ ଟିମ୍ ଚଢ଼ଉ କରିଥିଲା । ମଦନ ଏକ ଡଙ୍ଗାରେ ଲୁଚି ରହିଥିବା ବେଳେ ପୋଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ମଦନ ଜୋରରେ ପାଟି କରିବାରୁ ତାଙ୍କ ପରିବାର ଲୋକ, ସମ୍ପର୍କୀୟ ଏବଂ ସ୍ଥାନୀୟ ବସ୍ତି ବାସିନ୍ଦା ସେଠାରେ ରୁଣ୍ଡ ହୋଇଥିଲେ ।
ପୋଲିସ ମଦନଙ୍କ ବିରୋଧରେ ଥିବା ମାମଲା ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକମାନେ କିଛି ଶୁଣିନଥିଲେ । ଓଲଟା ପୋଲିସକୁ ଗାଳିଗୁଲଜ କରିବା ସହ ମଦନକୁ ନେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ । ପୋଲିସ ନିଜ କର୍ତ୍ତବ୍ୟ କରିବାକୁ ଆଗେଇ ଆସିବାରୁ ଲୋକମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ, ପୋଲିସ କର୍ମଚାରୀଙ୍କୁ ଏକ ଘରେ ପୁରାଇ ସେମାନଙ୍କଠାରୁ ଲୁଟପାଟ କରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାରେ ଆହତ ହୋଇଥିବା ଏସ୍ଆଇ ସୁରେଶ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାକୁ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ଗୁରୁତର ସହିତ ତଦନ୍ତ କରୁଛନ୍ତି । ଏସପି କହିଛନ୍ତି ଯେ, ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି ଏବଂ ଫେରାର ମଦନ ରାଉତକୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରହିଛି । ଆଇନ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |