ଜଙ୍ଗଲ କ୍ଷୟର କରୁଣ ଚିତ୍ର, ଜନବସତିରେ ବିରଳ ହରିଣ

ବିକାଶ ନାଁରେ ବିନାଶର କରୁଣ ପରିଣତି ଏବେ ବନ୍ଦରନଗରୀ ପାରାଦୀପରେ ଦେଖିବାକୁ ମିଳୁଛି। ଶିଳ୍ପାୟନ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ବାସହୀନ ହୋଇ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି।

ଆଜି ସକାଳୁ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଯେତେବେଳେ ଏକ ବିରଳ ପ୍ରଜାତିର ହରିଣ ଭୟଭୀତ ଅବସ୍ଥାରେ ଜନୈକ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ହରିଣକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗର ବିଳମ୍ବ ଯୋଗୁଁ ଲୋକେ ନିଜେ ଏକ ଟ୍ରଲି ରିକ୍ସା ସାହାଯ୍ୟରେ ହରିଣଟିକୁ ମାଛ ମାର୍କେଟ ପର୍ଯ୍ୟନ୍ତ ଆଣିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଜଣେ ମାତ୍ର ବନରକ୍ଷୀ ପହଞ୍ଚିଥିଲେ।

ଏହି ବିଳମ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାଥମିକ ଭାବେ ନୂଆବଜାର ପ୍ରାଣୀ ଚିକିତ୍ସାଳୟରେ ହରିଣର ଚିକିତ୍ସା କରାଯାଇଥିଲା ଏବଂ ପରେ ତାକୁ କୁଜଙ୍ଗ ବନ ବିଭାଗ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ଏକ ମୁମୂର୍ଷୁ ହରିଣକୁ ଉଦ୍ଧାର କରିବାରେ ଅବହେଳା ଯୋଗୁଁ ତାର ମୃତ୍ୟୁ ଘଟିଥିଲା। ଜଙ୍ଗଲ କଟାଯିବା ଯୋଗୁଁ ବନ୍ୟଜନ୍ତୁମାନେ ସୁରକ୍ଷିତ ଆଶ୍ରୟ ସ୍ଥଳୀ ହରାଉଛନ୍ତି, ଯାହା ସେମାନଙ୍କୁ ଶିକାରୀ କିମ୍ବା ଦୁର୍ଘଟଣାର ସମ୍ମୁଖୀନ କରୁଛି। ଯଦି ବନ ବିଭାଗ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ଏବଂ କଠୋର ପଦକ୍ଷେପ ନ ନିଏ, ତେବେ ଆଗାମୀ ଦିନରେ ଏହି ଅଞ୍ଚଳରୁ ବିରଳ ବନ୍ୟଜନ୍ତୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି।