
କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍ IPL 2026। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ Royal Challengers Bengaluru ଏବଂ Sunrisers Hyderabad । ଦୁଇଟି ଦଳ ଯାହା ତାଙ୍କର ଆକ୍ରମଣାତ୍ମକ ଖେଳ ପାଇଁ ପରିଚିତ। ମାଇଦାନରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ, ସବୁଠି ଉତ୍ସାହର ଲହରୀ। ଏବର୍ଷ ଉଦଘାଟନୀ ଉତ୍ସବ ନଥିଲେ ମଧ୍ୟ ମ୍ୟାଚ୍ର ରୋମାଞ୍ଚ କମିନାହିଁ।ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଜି କାହାର ପଲା ଭାରି ରହିବ?
ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ କିମ୍ବା ଅନ୍ୟ କୌଣସି ମଇଦାନ, ଆରିସିବିର ବ୍ୟାଟରମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ତେବେ ଡେଥ୍ ଓଭରରେ ବୋଲିଂ ଏବେ ମଧ୍ୟ ଆରସିବି ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି, ତେବେ ଆରସିବିକୁ ହରାଇବା କଷ୍ଟକର ହେବ।
ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ସବୁବେଳେ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ ପାଇଁ ପରିଚିତ। ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କଙ୍କ ଓପନିଂ ଯୁଗଳ ପାୱାରପ୍ଲେରେ ମ୍ୟାଚ୍ର ଦିଗ ବଦଳାଇ ପାରେ। ଇତିହାସ କୁହେ, ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ସବୁବେଳେ ରୋମାଞ୍ଚକର। ଯେତେବେଳେ ବି ଏହି ଦୁଇ ଦଳ ମଇଦାନକୁ ଓହ୍ଲାନ୍ତି, ରନ୍ର ବର୍ଷା ଦେଖିବାକୁ ମିଳେ । ଆଜିର ମ୍ୟାଚ୍ରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଯଦି ପିଚ୍ ବ୍ୟାଟିଂ ଅନୁକୂଳ ହୁଏ, ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଦଳକୁ ୨୦୦ରୁ ଅଧିକ ରନ୍ କରିବାକୁ ପଡ଼ିବ। ଆଇପିଏଲ ଇତିହାସରେ ଏହି ଦୁଇ ଦଳ ୨୫ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ହାଇଦ୍ରାବାଦ ୧୩ ଥର ବିଜୟୀ ହୋଇଥିବା ବେଳେ ବେଙ୍ଗାଲୁରୁ ୧୧ ଥର ବିଜୟୀ ହୋଇଛି ।
ମୋଟା ମୋଟି ଭାବେ କହିବାକୁ ଗଲେ , ଆଜି ଦର୍ଶକମାନେ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ର ଆନନ୍ଦ ନେବେ। ବ୍ୟାଟ୍ ଓ ବଲ୍ର ରୋମାଞ୍ଚକର ଯୁଦ୍ଧରେ କିଏ ଜିତିବ ସେଥି ପାଇଁ ସମସ୍ତଙ୍କ ଦୃଷ୍ଟି ମଇଦାନ ଉପରେ ରହିବ। ତେବେ କ୍ରିକେଟ ପ୍ରେମୀଙ୍କ ପାଇଁ ଏହି ସନ୍ଧ୍ୟା ସ୍ମରଣୀୟ ହେବ। ତେବେ ଦେଖିବାକୁ ବାକି ରହିଲା ଏହି ମ୍ୟାଚରେ କାହାର ପଲା ଭାରି ରହିବ…