ବିଧାନସଭାରେ ରାଜ୍ୟସଭା ଭୋଟ୍: ଉପାସନାଙ୍କୁ ଦ୍ୱିତୀୟ ବାଲାଟ୍ ନେଇ ପ୍ରଶ୍ନ ଉଠାଇଲେ ନବୀନ

ଓଡ଼ିଶାରୁ ଦିଲ୍ଲୀ ଦରବାରକୁ କିଏ ପହଞ୍ଚିବେ, ତାହା ନିର୍ଣ୍ଣୟ କରିବେ ବିଧାୟକମାନେ। କାହାକୁ ପ୍ରଥମ ପସନ୍ଦର ଭୋଟ୍ ମିଳିବ ଓ କାହା ସପକ୍ଷରେ ସଂଖ୍ୟା ଗଣିତ ଯିବ, ସେନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

ଏହିମଧ୍ୟରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ଥର ବାଲାଟ୍ ପେପର ଦିଆଯାଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାକୁ ସେ ଗଣତନ୍ତ୍ର ବିରୋଧୀ ବୋଲି କହିବା ସହ ପୋଲିଂ ଅଧିକାରୀଙ୍କ ପକ୍ଷପାତିତା ଥିବା ଅଭିଯୋଗ କରିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, ଯଦି ଜଣେ ବିଧାୟକଙ୍କୁ ଦୁଇଥର ବାଲାଟ୍ ପେପର ଦିଆଯାଏ, ତେବେ ଏହା ଗଣତନ୍ତ୍ରୀୟ ପ୍ରକ୍ରିୟାକୁ ପ୍ରଶ୍ନର ସମ୍ମୁଖୀନ କରେ। ଏଭଳି ଘଟଣା କେମିତି ଘଟିଲା ଓ ପୋଲିଂ ଅଧିକାରୀ କେଉଁଠୁ ଅତିରିକ୍ତ ବାଲାଟ୍ ଆଣିଲେ, ସେଥିପାଇଁ ତଦନ୍ତ ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

କେବଳ ନବୀନ ପଟ୍ଟନାୟକ ନୁହେଁ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଏହି ଘଟଣାକୁ ନେଇ ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିଜେପି ନିର୍ବାଚନ କମିସନକୁ ପ୍ରଭାବିତ କରି ବେଆଇନ କାମ କରାଉଛି ବୋଲି ଅଭିଯୋଗ ରହିଛି। ଏହି ଘଟଣାର ସଠିକ୍ ତଦନ୍ତ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

ରାଜ୍ୟସଭା ନିର୍ବାଚନକୁ ନେଇ ଏହି ବିବାଦ ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆଣିପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।