୨୦୨୩ର ହାରର ପ୍ରତିଶୋଧ! ଅହମ୍ମଦାବାଦରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଜିତିଲା ଭାରତ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଟିମ୍ ଇଣ୍ଡିଆ ଏକ ଐତିହାସିକ ବିଜୟ ହାସଲ କରିଛି। ପ୍ରାୟ ୯୦ ହଜାର ଦର୍ଶକଙ୍କ ଗର୍ଜନ ମଧ୍ୟରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଛି। ଏହି ବିଜୟ ସହ ୨୦୨୩ ବିଶ୍ୱକପ୍ ଫାଇନାଲର ସେହି କଷ୍ଟଦାୟକ ପରାଜୟର ସ୍ମୃତିକୁ ଭାରତୀୟ ଦଳ ଲିଭାଇଦେଇଛି।

ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଚମତ୍କାର ପ୍ରଦର୍ଶନ କରି ନିଜର ଟାଇଟଲ୍ ସଫଳତାର ସହ ରକ୍ଷା କରିଛି। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଦଳ ନିଜ ଦେଶରେ ବିଶ୍ୱକପ୍ ଜିତିବା ସହିତ ଟାଇଟଲ୍ ରକ୍ଷା କରିବାର କାରନାମା କରିଛି। ଏହି ବିଜୟ ସହ ଭାରତ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଟାଇଟଲ୍ ଜିତିଥିବା ଦଳ ଭାବେ ରେକଡ କରିଛି । ଭାରତ ୨୦୦୭, ୨୦୨୪ ଓ ୨୦୨୬ରେ ଏହି ଟ୍ରଫି ଜିତିଥିବା ବେଳେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଦୁଇଥର କରି ଟାଇଟଲ୍ ଜିତିଛନ୍ତି।

୩୩ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଏହି ବିଜୟ ସହ କପିଳ ଦେବ, ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା ଓ ହରମନପ୍ରୀତ କୌରଙ୍କ ଭଳି ଶ୍ରେଷ୍ଠ ଅଧିନାୟକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କର ରଣନୀତି ଓ ଦଳର ଏକତା ଭାରତକୁ ଏହି ଐତିହାସିକ ସଫଳତା ଦେଇଛି। ଫାଇନାଲ୍ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନର ବଡ଼ ସ୍କୋର ଖଡ଼ା କରିଥିଲା। ସଞ୍ଜୁ ସାମସନଙ୍କ ବିସ୍ଫୋରକ ୮୯ ରନ୍ ସହିତ ଇଶାନ କିଶନ ଓ ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା। ଶେଷ ଓଭରରେ ଶିବମ ଦୁବେଙ୍କ ଛକା ବର୍ଷା ସ୍କୋରକୁ ଆହୁରି ବୃଦ୍ଧି କରିଥିଲା।

ଜବାବରେ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ବୋଲରମାନଙ୍କ ଘାତକ ବୋଲିଂ ସମ୍ମୁଖୀନ ହୋଇ ୧୫୯ ରନରେ ସୀମିତ ହୋଇଯାଇଥିଲା। ଯଶପ୍ରୀତ ବୁମରାହଙ୍କ ଶାନଦାର ବୋଲିଂ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍‌ଅପ୍‌କୁ ଭାଙ୍ଗିଦେଇଥିଲା।ଏହି ଐତିହାସିକ ବିଜୟ ସହିତ ଭାରତୀୟ କ୍ରିକେଟରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ଏହା ସମଗ୍ର ଦେଶର କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କୁ ଗର୍ବିତ କରିଥିବା ବେଳେ ଭାରତର କ୍ରିକେଟ୍ ଆଧିପତ୍ୟକୁ ପୁଣିଥରେ ପ୍ରମାଣ କରିଛି।