ଲୋକ ଖୁସି କେମିତି ହେବେ? ତୁମେ ତାଙ୍କ BSKY ନେଇଯାଇଛ: ସୁଲତା ଦେଓଙ୍କ ଆରୋପ, ବିଧାୟକଙ୍କ ପ୍ରତିଆରୋପ

ବର୍ତ୍ତମାନ କୋରେଇ ଅଞ୍ଚଳର ରାଜନୀତି ଭାରି ସରଗରମ ହୋଇଯାଇଛି। ସୁକିନ୍ଦା ଓ କୋରେଇ ବାସୀ ଧୂଳି, ଧୂଆଁ ଖାଉଥିବା ବେଳେ DMF ଫଣ୍ଡର ଟଙ୍କା ଯାଜପୁର ଟାଉନ୍‌ର କୁସୁମା ଓ ଅନ୍ୟାନ୍ୟ ରାସ୍ତା ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅଭିଯୋଗ ଉଠାଇଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ। ବ୍ୟାସ ସରୋବର ସଭାମଞ୍ଚରୁ ସେ କହିଛନ୍ତି, ଏହି ସମସ୍ତ ବିକାଶ କାମ “ବବି ଭାଇ” କରିଛନ୍ତି।

ସୁଲତା ଦେଓ ଆହୁରି କହିଛନ୍ତି ଯେ ବ୍ୟାସ ସରୋବର ଉନ୍ନତି ପାଇଁ ବବି ଦାସ ଓ ଅଶୋକ ବଳ ଦୁଇ ଭାଇ ମିଶି ୨୪ ଘଣ୍ଟା ଧରି ଆଲୋଚନା କରୁଥିଲେ। ତେବେ ଯାଜପୁରରେ ବିକାଶ ହେଲେ ବି କୋରେଇରେ କାହିଁକି ହେଲାନି ବୋଲି ସେ ପ୍ରଶ୍ନ କରିଥିଲେ। ସେଥିସହ DMF ଫଣ୍ଡରୁ କୋରେଇ କାହିଁକି ବାଦ୍ ପଡ଼ିଲା ଓ ଧର୍ମଶାଳା କିପରି ମିଶିଲା ଏନେଇ କୋରେଇ ବିଧାୟକଙ୍କୁ ପ୍ରଶ୍ନ କରି ଲୋକଙ୍କୁ ଉସ୍କାଇଥିବା ଅଭିଯୋଗ ହୋଇଛି।

ଏହି ମନ୍ତବ୍ୟକୁ ନେଇ BJD କାଉନ୍ସିଲରମାନେ କଟୁ ପ୍ରତିକ୍ରିୟା ଦେଇଛନ୍ତି। ବ୍ୟାସନଗର ପୌର ପରିଷଦର BJD କାଉନ୍ସିଲର ଅଶୋକ ରାଉତ କହିଛନ୍ତି, ବ୍ୟାସ ସରୋବର ଉନ୍ନତି କାମ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଓ ପୂର୍ବତନ ପୌରାଧ୍ୟକ୍ଷା ସରୋଜିନୀ ବଳଙ୍କ ସମୟରୁ ଆରମ୍ଭ ହୋଇଥିଲା। ସେତେବେଳେ ଏହି “ଦୁଇ ଭାଇ” ରାଜନୀତିରେ ମଧ୍ୟ ଥିଲେନି ବୋଲି ସେ କହିଛନ୍ତି। ତାପରେ ଯେଉଁ କାମ ହୋଇଛି, ସେଗୁଡ଼ିକ ପ୍ରୀତି ରଞ୍ଜନ ଘଡ଼ାଇ ଓ ବର୍ତ୍ତମାନର କୋରେଇ ବିଧାୟକ ଆକାଶ ଦାସ ନାୟକ କରିଥିବା ଅଶୋକ ରାଉତ କହିଛନ୍ତି। ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ DMF ଫଣ୍ଡ କିପରି ପାଣିକୋଇଲି ଡେଇଁ ଯାଜପୁର ଟାଉନ୍ କୁଶୁମାରେ ଖର୍ଚ୍ଚ ହେଲା ଓ ଏହାକୁ କିଏ ନେଲା।

ଅନ୍ୟପଟେ DMF ଫଣ୍ଡରୁ କୋରେଇ କାହିଁକି ବାଦ୍ ପଡ଼ିଲା ସେଥିପାଇଁ କୋରେଇ ବିଧାୟକ ଆକାଶ ଦାସ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟ ନିୟମ ଅନୁଯାୟୀ ଖଣି ଅଞ୍ଚଳର ୩୦ କିଲୋମିଟର ପରିସୀମା ମଧ୍ୟରେ ଥିବା ଅଞ୍ଚଳକୁ DMF ଫଣ୍ଡ ମିଳେ। ତେଣୁ DMF ନ ମିଳିଲେ ବି ଅନ୍ୟ ଫଣ୍ଡ ମାଧ୍ୟମରେ କୋରେଇର ବିକାଶ କାମ ଜୋରଦାର ଭାବେ ଚାଲିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଆକାଶ ଦାସ ନାୟକ ଏହା ମଧ୍ୟ କହିଛନ୍ତି ଯେ ଏମିତି ସଭାମଞ୍ଚରେ ସବୁବେଳେ ରାଜନୀତି କରିବା ଉଚିତ୍ ନୁହେଁ। ନିର୍ବାଚନ ସମୟରେ ରାଜନୀତି ହେଉ, ନିର୍ବାଚନ ପରେ ସମସ୍ତେ ଏକାଠି ହୋଇ ଉନ୍ନତି କାମ କରିବା ଦରକାର।

ତେବେ ଏହି ସମଗ୍ର ଭାଷଣବାଜି ଓ ଆରୋପ, ପ୍ରତ୍ୟାରୋପକୁ ନେଇ ବର୍ତ୍ତମାନ କୋରେଇ ଅଞ୍ଚଳର ରାଜନୀତି ଏବେ ଆହୁରି ତେଜୀ ଉଠିଛି ।