ଆମେରିକା ସହିତ ଭାରତର ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଭାରତ ଆଗାମୀ ଦିନରେ ରୁଷ୍ଠାରୁ ତୈଳ କ୍ରୟ କରିବ ନାହିଁ। ଏହି ବୟାନ ପରେ ରୁଷ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭାରତ ନିଜ ଆବଶ୍ୟକତା ଅନୁଯାୟୀ ଯେକୌଣସି ଦେଶରୁ ତୈଳ କିଣିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ।

କ୍ରେମଲିନ୍ର କହିବା ଅନୁସାରେ, ଭାରତ ଅନ୍ୟ ଦେଶମାନଙ୍କଠାରୁ ତୈଳ ଆଣିବାର ପ୍ରୟାସ କେବେବି ନୂଆ କଥା ନୁହେଁ ଓ ଏହାକୁ ମସ୍କୋ ବିରୋଧୀ ପଦକ୍ଷେପ ଭାବେ ମଧ୍ୟ ଦେଖାଯାଉନାହିଁ। ଟ୍ରମ୍ପଙ୍କ ମତାନୁସାରେ, ଭାରତ–ଆମେରିକା ବାଣିଜ୍ୟ ଚୁକ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ରୁ ତୈଳ କ୍ରୟ ବନ୍ଦ କରିବାକୁ ଓ ଆମେରିକା ସହିତ ସମ୍ଭବତଃ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବାକୁ ସମ୍ମତି ଦେଇଛନ୍ତି।

ଟ୍ରମ୍ପଙ୍କ ଏହି ଦାବି ପରେ କ୍ରେମଲିନ୍ ପ୍ରବକ୍ତା ଡିମିତ୍ରି ପେସ୍କୋଭ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରୁଷ୍ କେବେବି ଭାରତ ପାଇଁ ତୈଳ ଓ ପେଟ୍ରୋଲିୟମ ଉତ୍ପାଦର ଏକମାତ୍ର ଯୋଗାଣକାରୀ ରହିନଥିଲା। ଆନ୍ତର୍ଜାତିକ ଶକ୍ତି ବିଶେଷଜ୍ଞମାନେ ମଧ୍ୟ ଏହି କଥା ଭଲଭାବେ ଜାଣନ୍ତି ଯେ ଭାରତ ପୂର୍ବରୁ ମଧ୍ୟ ଅନେକ ଉତ୍ସରୁ ତୈଳ ଓ ପେଟ୍ରୋଲିୟମ ସାମଗ୍ରୀ କ୍ରୟ କରୁଥିଲା।

ପେସ୍କୋଭ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରୁଷ୍ଠାରୁ ତୈଳ କ୍ରୟ ବନ୍ଦ କରିବା ସମ୍ପର୍କରେ ମସ୍କୋ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପାଇନାହିଁ। ପୂର୍ବ ଦିନ ମଧ୍ୟ ସେ ଏହି ମତ ପୁନରାବୃତ୍ତି କରିଥିଲେ ଓ କହିଥିଲେ ଯେ ଏନେଇ ନୂଆଦିଲ୍ଲୀ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।ଅନ୍ୟପକ୍ଷରେ ରୁଷ୍ର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ମଧ୍ୟ ଦୁଇ ଦେଶ ମଧ୍ୟରେ ଶକ୍ତି ସହଯୋଗର ସମର୍ଥନ କରିଥିଲେ। ଜଖାରୋଭା କହିଥିଲେ, ହାଇଡ୍ରୋକାର୍ବନ ବ୍ୟାପାର ଭାରତ ଓ ରୁଷ୍ ଉଭୟଙ୍କ ପାଇଁ ଲାଭଦାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଜଖାରୋଭା କହିଥିଲେ କି ଭାରତ ଦ୍ବାରା ରୁଷ୍ ହାଇଡ୍ରୋକାର୍ବନ କିଣିବା ଦୁଇ ପକ୍ଷ ପାଇଁ ଲାଭଦାୟକ ହେବ ।

ଏହା ବିଶ୍ବ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ। ଆମେ ଆମର ଭାରତୀୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ ଜାରି ରଖିବାକୁ ପ୍ରସ୍ତୁତ। ରୁଷ୍ର ଶକ୍ତି ବିଶ୍ଳେଷକମାନେ କହିଛନ୍ତି ଯେ, ଭାରତୀୟ ବିଶୋଧନାଗାରଗୁଡ଼ିକ ପାଇଁ ରୁଷ୍ର ଅଶୋଧିତ ତୈଳର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସହଜ ହେବନାହିଁ। ରୁଷ୍ର ଜାତୀୟ ଶକ୍ତି ସୁରକ୍ଷା ପାଣ୍ଠିର ଇଗୋର ୟୁଶକୋଭ କହିଛନ୍ତି ଯେ ଆମେରିକା ମୁଖ୍ୟତଃ ହାଲୁକା ଗ୍ରେଡ୍ର ତୈଳ ରପ୍ତାନୀ କରିଥାଏ । ଅନ୍ୟପକ୍ଷରେ ରୁଷ ଭାରତୀୟ ରିଫାଇନାରୀଗୁଡ଼ିକ ଦ୍ୱାରା ବ୍ୟବହୃତ ଭାରୀ, ସଲଫର-ସମ୍ପୃକ୍ତ ୟୁରାଲ୍ସ ଅଶୋଧିତ ତୈଳ ଯୋଗାଣ କରେ। ଭାରତକୁ ଅନ୍ୟ ଗ୍ରେଡ୍ ସହିତ ଆମେରିକୀୟ ତୈଳ ମିଶ୍ରଣ କରିବାକୁ ପଡିବ, ଯାହା ଖର୍ଚ୍ଚ ବୃଦ୍ଧି କରିବ । ଏକ ସହଜରେ ବଦଳା ଯିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ୟୁଶକୋଭ ଆହୁରି କହିଛନ୍ତି ଯେ, ରୁଷ ପ୍ରତିଦିନ ଭାରତକୁ ୧.୫ ରୁ ୨ ନିୟୁତ ବ୍ୟାରେଲ ତୈଳ ପଠାଏ, ଆମେରିକା ସହଜରେ ଏତେ ପରିମାଣର ତୈଳ ପଠାଇ ପାରିବ ନାହିଁ । ଟ୍ରମ୍ପ ଏପରି କହି ଆମେରିକା ଏହାଦ୍ବାରା ଭାରତ ଓ ରୁଷ୍ଠାରୁ ସର୍ତ୍ତ ଜିତି ଯାଇଥିବା ଦର୍ଶାଇବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି ।