ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଭୁବନେଶ୍ୱରରୁ ବିଶେଷ ବିମାନରେ ଯାଜପୁର ଆସି ପହଞ୍ଚିବା ପରେ ସେ ମା’ ବିରଜାଙ୍କୁ ଦର୍ଶନ କରି ନାଭିଗୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରିଛନ୍ତି | ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ |

ମା’ ବିରଜାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ପିଣ୍ଡଦାନ ନୀତି ସଂପାଦନ ପାଇଁ ୧୬ ଜଣ ବ୍ରାହ୍ମଣ ଏବଂ ୩୨ ଜଣ ସେବାୟତ ବିଶେଷ ଭାବେ ନିୟୋଜିତ ହୋଇଛନ୍ତି | ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ମା’ ବିରଜାଙ୍କୁ ବିଶେଷ ବେଶରେ ସଜାଯାଇଛି | କୁସୁମାଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଭଲ ଭାବରେ ସଜାଯାଇଥିଲା | ତାହା ସହ ସାଂସ୍କୃତିକ ଦଳ, ଲୋକନୃତ୍ୟ, କୀର୍ତ୍ତନ ଓ ଆଧ୍ୟାତ୍ମିକ ପରିବେଷଣ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଛି | ନାଭିଗୟାକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ସୁନ୍ଦର ଭାବେ ସାଜସାଜି କରାଯିବ ସହ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି | ୨୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଜଣ SP, ୩୦ ଜଣ ଇନ୍ସପେକ୍ଟର ସବ୍ଇନ୍ସପେକ୍ଟର ନିଯୁକ୍ତ କରିବା ସହ କେତେକ ସ୍ଥାନରେ କମଣ୍ଡ ରାଙ୍କ୍ ଅଫିସର ମୁତୟନ କରାଯାଇଛି | ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ଫୁଲ, ପ୍ରଦୀପ ଓ ବିଭିନ୍ନ ସଜାଣିରେ ଆକର୍ଷଣୀୟ ଭାବେ ସଜାଯାଇଛି |
ମହାମହିମ ଯାଜପୁର କାର୍ଯ୍ୟକ୍ରମ ସାରିବା ପରେ ବାଲେଶ୍ୱର ଯିବେ |ବିରଜା ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲେଶ୍ୱରର ଫକୀରମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ | ସେଠାରୁ ଅପରାହ୍ଣ ପ୍ରାୟ ୩.୫୦ରେ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତିଙ୍କ ଏହି ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ କରିବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଥିବା ଦେଖାଗଲା।