ବିଳମ୍ବିତ ରାତିରେ HDFC ଏଟିଏମ୍ ଲୁଟ

ଯାଜପୁର ଜିଲ୍ଲାରେ ଏକ ହ୍ରାଇପ୍ରୋଫାଇଲ ଏଟିଏମ୍ ଲୁଟ ଘଟଣା ସାରା ଅଞ୍ଚଳକୁ ଚଞ୍ଚଳ କରିଦେଇଛି। ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଗତକାଲି ବିଳମ୍ବିତ ରାତିରେ HDFC ବ୍ୟାଙ୍କର ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ଉଖାଡ଼ି ଏକ ଡାଲା ଅଟୋରେ ନେଇଯାଇଥିବା ସୂଚନା ମିଳିଛି। ଲୁଟ୍ ସମୟର ସମସ୍ତ ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ପୂର୍ବ ପରିକଳ୍ପନା ଅନୁଯାୟୀ ଏଟିଏମ୍‌କୁ ଲକ୍ଷ୍ୟ କରି ମଧ୍ୟରାତ୍ରି ପରେ ଘଟଣା ଘଟାଇଥିଲେ। ଏଟିଏମ୍‌ଟିକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ନେଇ ଏକ ଡାଲା ଅଟୋରେ ପଳାୟନ କରିଥିଲେ। ପରେ ଘଟଣାସ୍ଥଳରୁ ପ୍ରାୟ ୪୦୦ ମିଟର ଦୂରରେ ଲୁଟ ହୋଇଥିବା ଏଟିଏମ୍ ଓ ବ୍ୟବହୃତ ଡାଲା ଅଟୋକୁ ପୋଲିସ ଜବତ କରିଛି।

ଏଟିଏମ୍‌ରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଆସପାସର ଅନ୍ୟାନ୍ୟ ସିସିଟିଭି କ୍ୟାମେରାର ଫୁଟେଜ ମଧ୍ୟ ସଂଗ୍ରହ କରାଯାଉଛି।

ଏହି ଦୁଃସାହସିକ ଲୁଟ ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ପୋଲିସ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବା ନେଇ ତଦନ୍ତ ଜୋରଦାର କରିଛି।