
ସପ୍ତମଥର ପାଇଁ ଡମ୍ଫର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜୟ ନାୟକ । ଗତ କିଛି ଦିନ ହେଲା ପାରାଦ୍ଵୀପ ବନ୍ଦରର ପଣ୍ୟ କାରବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଡମ୍ଫର ମାଲିକ ସଂଘର ନିର୍ବାଚନକୁ ନେଇ ଚାଲିଥିବା ଆକଳନରେ ପଡ଼ିଛି ପୂର୍ଣ୍ଣଛେଦ । ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ନୂତନ ନିର୍ବାଚିତ ପ୍ରତିନିଧି ମାନେ ଦାୟିତ୍ଵ ନିର୍ବାହ କରିବେ। ଚଳିତ ନିର୍ବାଚନରେ ସଂଘର ୩୪୯ ସଭ୍ୟ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ସଭାପତି ଭାବେ ବିଜୟ ନାୟକ ୨୮୪ ଖଣ୍ଡ ଭୋଟ ପାଇଛନ୍ତି।
ଅନ୍ୟପଟେ ଉପସଭାପତି ଭାବେ ପ୍ରମୋଦ କୁମାର ନାୟକ ୨୫୦ ଖଣ୍ଡ ଭୋଟ ଓ ସୁରଜ କୁମାର ବାରିକ ୨୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପଦବୀ ଗୁଡିକରେ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ପାରାଦ୍ଵୀପ ବନ୍ଦରରେ ଥିବା ବର୍ଥ ଗୁଡ଼ିକୁ ପ୍ରାଇଭେଟ୍ ସଂସ୍ଥାକୁ ପ୍ରଦାନ କରିବା ସହିତ ମେକାନାଇଜ୍ଡ କରାଯାଉଛି। ଫଳରେ ପାରାଦ୍ଵୀପ ବନ୍ଦରରେ ଡମ୍ଫର ଗାଡ଼ିରେ ପଣ୍ୟ ପରିବହନ ବନ୍ଦ ହେବାର ସମ୍ଭାବନା ଦେଖାଯାଇଛି।
ଯଦି ଏପରି ଲାଗି ରହେ ତେବେ ପାଖାପାଖି ୧୫ ହଜାର ପରିବାର ରାସ୍ତାକୁ ଚାଲି ଆସିବେ। ଏହି ପରିସ୍ଥିତିରେ ପାରାଦ୍ଵୀପ ବନ୍ଦର ଓ କେନ୍ଦ୍ର ବନ୍ଦର ମନ୍ତ୍ରଣାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯିବା ସହିତ ଅନ୍ତତ ୪ଟି ବର୍ଥକୁ ମାନୁଆଲ ରଖିବା ପାଇଁ ଅନୁରୋଧ କରାଯାଇଛି। ଯଦି ଏହାକୁ କେନ୍ଦ୍ର ଓ ବନ୍ଦର କତ୍ତୃପକ୍ଷ ଅଣଦେଖା କରନ୍ତି , ତେବେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ବୋଲି ଚେତାବନୀ ଦିଆଯାଇଛି ।