ଉପ ରାଷ୍ଟ୍ରପତି ପଦକୁ ନେଇ ପଲିଟିକ୍ସ ଜୋରଦାର

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ, ଦେଶରେ ପୁଣି ଥରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନ କେବଳ ସଂସଦର ଉଚ୍ଚ ସଦନ ଅର୍ଥାତ୍ ରାଜ୍ୟସଭାର ରାଜନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହାର ଫଳାଫଳ ଆଗାମୀ ବର୍ଷଗୁଡ଼ିକରେ ସଂସଦୀୟ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିପାରେ। ଭାରତର ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ବିଧାନର ଧାରା 66 ଅନୁଯାୟୀ ହୋଇଥାଏ । କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟମାନେ ସେମାନଙ୍କର ଭୋଟ୍ ଦେଇଥାନ୍ତି । ନିର୍ବାଚନ ପ୍ରକ୍ରିୟା ଗୁପ୍ତ ମତଦାନ ମାଧ୍ୟମରେ କରାଯାଇଥାଏ ।

ଜିତିବା ପାଇଁ, ଜଣେ ପ୍ରାର୍ଥୀଙ୍କୁ ମୋଟ ବୈଧ ଭୋଟର 50% ରୁ ଅଧିକ ଭୋଟ ପାଇବା ଜରୁରୀ ଅଟେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ 5 ବର୍ଷ ଏବଂ ଏହା ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପଦ ଅଟେ ।

ଏହି ନିର୍ବାଚନରେ, NDA ପକ୍ଷରୁ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଛି। NDA ନିଶ୍ଚିତ କରିବାକୁ ପ୍ରୟାସ କରିବ ଯେ ସେମାନେ ବିରୋଧୀ ଦଳଙ୍କ ଠାରୁ କୌଣସି କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ନ ହୁଅନ୍ତୁ ଏବଂ ସେମାନଙ୍କର ପ୍ରାର୍ଥୀ ନିର୍ବିରୋଧୀ ଭାବରେ ନିର୍ବାଚିତ ହୁଅନ୍ତୁ। ଏହି ରଣନୀତିର ଅଂଶ ସ୍ୱରୂପ, ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ବିରୋଧୀ ଦଳଗୁଡ଼ିକ ସହିତ ଯୋଗାଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ବିରୋଧୀ ଦଳ ନିର୍ବାଚନକୁ ନେଇ ବୈଠକ ଜାରି ରଖିଛି । ବିରୋଧୀ ଦଳ ପକ୍ଷରୁ ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି।

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ସକାଳ ୧୧ଟାରେ ତାଙ୍କର ନାମାଙ୍କନ ଦାଖଲ କରିବେ। ତାଙ୍କ ସହିତ ୨୦ ଜଣ ପ୍ରସ୍ତାବକ ଏବଂ ୨୦ ଜଣ ସମର୍ଥକଙ୍କ ସମେତ ପ୍ରାୟ ୧୬୦ ଜଣ ସଦସ୍ୟ ଉପସ୍ଥିତ ରହିବେ।