ପାଇଲଟଙ୍କ ସିଟ୍ ତଳେ ବିଷଧର ସାପ…

ବିମାନ ଆକାଶ ମାର୍ଗରେ ଥିବା ବେଳେ ଯଦି ପାଇଲଟଙ୍କ ଆଗରେ ବିଷଧର ସାପ ବାହାରେ! ନିଶ୍ଚିତ ଭୟରେ ପାଇଲଟ ମୁର୍ଚ୍ଛା ଯିବେ କି ବିମାନରୁ ଡିଆଁ ମାରିବେ? କିନ୍ତୁ ଏମିତି କିଛି କରିନଥିଲେ ପାଇଲଟ । ବରଂ ଧୈର୍ଯ୍ୟର ସହ ବିମାନକୁ ଜରୁରୀକାଳୀନ ଅବତରଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପାଇଲଟ୍ ରଡୋଲ୍ଫ ଏରାସ୍ମସଙ୍କ ପାଇଁ ବଞ୍ଚିଗଲା 5 ଜୀବନ ।
ସାଧାରଣତଃ ଏରାସ୍ମସ ବିମାନ ଯାତ୍ରା କାଳରେ ଏକ ପାଣି ବୋତଲ ନିଜ ସହ ନେଇଥାନ୍ତି। ସେହି ବୋତଲକୁ ସେ ନିଜ ଗୋଡ ଓ ବିମାନ କାନ୍ଥ ମଝିରେ ରଖିଥାନ୍ତି। ଏରାସ୍ମସ ସୋମବାର ସକାଳୁ 4 ଜଣ ଯାତ୍ରୀଙ୍କୁ ଏକ ଛୋଟ ଏୟାର କ୍ରାପ୍ଟ ଯୋଗେ ୱର୍ସେଷ୍ଟରରୁ ନେଲ୍ସପ୍ରୁଟ ଉଡ଼ାଣ ଭରିଥିଲେ। ବିମାନ ମଝି ଆକାଶରେ,ହଠାତ୍ ଏରାସ୍ମସଙ୍କୁ କିଛି ଗୋଟିଏ ଶୀତଳ ଅନୁଭୂତି ହୋଇଥିଲା। ସେ ଭାବିଲେ ତାଙ୍କ ପାଣି ବୋତଲରୁ ପାଣି ଝରୁଛି। ତେଣୁ ବୋତଲ ଉଠାଇବାକୁ ଯେତେବେଳେ ବାମ ପାଖକୁ ଦେଖନ୍ତି, ଆଖିରେ ପଡିଥିଲା ଏକ ନାଗ। ପାଇଲଟଙ୍କ ସିଟ ତଳେ ସାପ ମୁଣ୍ଡ ବାହାର କରିଛି।
ସାପକୁ ଦେଖି ପାଇଲଟ କିଛି ସମୟ ସ୍ତବ୍ଧ ରହିଯାଇଥିଲେ। କଣ କରିବେ କିଛି ବୁଝିପାରିନଥିଲେ ଏରାସ୍ମସ। ବିମାନରେ ସାପ ଅଛି, ଏକଥା ଯାତ୍ରୀଙ୍କୁ କହିବାକୁ ଟାହିଁ ନଥିଲେ। ସେ ଯାତ୍ରୀଙ୍କୁ ଅଯଥାରେ ଭୟଭୀତ କରିବାକୁ ଚାହିଁ ନ ଥିଲେ। ସେ ସହଜ ସୁଲଭ ସ୍ୱରରେ ଯାତ୍ରୀଙ୍କୁ ସୂଚିତ କରିଥିଲେ କି, ବିମାନରେ ଏକ ସାପ ଅଛି, ଯାହା ତାଙ୍କ ସିଟ ତଳେ ରହିଛି। ତେଣୁ ତାଙ୍କୁ ବିମାନର ଜରୁରୀ ଅବତରଣ କରିବାକୁ ହେବ।
ସେହି ସମୟରେ ବିମାନ ୱେଲକମ ବିମାନ ବନ୍ଦରର ନିକଟତର ଥିଲା, ତେଣୁ ଏରାସ୍ମସ ବିମାନକୁ ସେଠାରେ ଜରୁରୀ ଅବତରଣ ପାଇଁ ଜୋହନ୍ସବର୍ଗ ବିମାନ ନିୟନ୍ତ୍ରକଙ୍କୁ ଜଣାଇଥିଲେ। ବିମାନରେ ଥିବା ଯାତ୍ରୀମାନେ ବିମାନରୁ ଯିବା ପରେ ଏରାସ୍ମସ ସିଟରୁ ଓହ୍ଲାଇଥିଲେ ଓ ନିଜ ସିଟ ଓଲଟାନ୍ତି ତ ଏକ ବିରାଟ ନାଗ ଗୁଡାଇ ହୋଇ ରହିଛି।
ସାପ ଉଦ୍ଧାରକାରୀ ଟିମ ପହଞ୍ଚି ବହୁ ଖୋଜାଖୋଜି କରିଲେ ହେଲେ ସାପ ମିଳିଲା ନାହିଁ। ବିମାନର ଇଞ୍ଜିନିୟର ମଧ୍ୟ ଯନ୍ତ୍ରାଂଶ ଖୋଲି ଦେଖିଲେ, କିନ୍ତୁ କିଛି ଫଳ ମିଳି ନଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ।

Leave a Reply

Your email address will not be published. Required fields are marked *