
ବଜାରକୁ ଚପଲ କିଣିବାକୁ ଯାଇ ନାବାଳିକା ନିଖୋଜ । ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ନିଖୋଜ ନାବାଳିକାର ଟେର ପାଉନି ପୋଲିସ । ସେପଟେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଦୁଖଃଦ ଘଟଣା ପିରହାଟ ଥାନା ଅଧିନ ଖଡିଜାଣ ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଉକ୍ତ ଗ୍ରାମର ବିଦ୍ୟାଧର ଦାସଙ୍କ ନାବାଳିକା ଝିଅ ନିକଟସ୍ଥ ଗଦି ବଜାରକୁ ଜୁନ ମାସ ୨୫ ତାରିଖ ଦିନ ଚପଲ କିଣିବାକୁ ଯାଇ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ।
ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଲେ ଝିଅକୁ ପାଇନଥିଲେ। ନିରାଶ ହୋଇ ଫେରିବା ପରେ ଜାଣିବାକୁ ପାଇଥିଲେ ଯେ ତିହିଡି ଥାନା ଅଧିନ କାଁପଡା ଗ୍ରାମର ବାଦଲ ମଳିକ ଓ ମଳୟ ମଳିକ ତାଙ୍କ ଝିଅକୁ ଅପହରଣ କରି ନେଇଛନ୍ତି । ଯାହାକୁ ନେଇ ବିଦ୍ୟାଧର ପିରହାଟ ଥାନାରେ ପରିବାର ଲୋକ ଏକ ଲିଖିତ ଅଭିଯୋଗ କରିଥିଲେ ।
ଆଭିଯୋଗ କରିବାର ପ୍ରାୟଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ନିଜ ଝିଅକୁ ଫେରି ପାଇବା ପାଇଁ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ପରିବାର ଲୋକେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।
ଅପହରଣକାରୀ ଖୁଲମ-ଖୁଲା ବୁଲୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ । ଅନ୍ୟ ପଟେ ପିରହାଟ ଥାନାଧିକାରିଣୀଙ୍କୁ ଏ ବିଷୟରେ ପଚାରିବାରୁ ତଦନ୍ତ ଚାଲିଛି ,ଆମେ ନାବାଳିକାକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛୁ ବୋଲି ଜଣାଇଛନ୍ତି ।