
ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାର ଶେଷରେ ଅନ୍ତ ଘଟିଛି। ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଖାରବେଳ ଥାନା ପୋଲିସ ଗିରଫ କରିଛି । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳ ପୋଲିସ । ଏଥିରେ ଉତ୍କ୍ଷିପ୍ତ ହୋଇ ବିଜେପି ନେତାଙ୍କ ସମର୍ଥକ ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। କୋର୍ଟରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ। ଅଘଟଣ ଆଶଙ୍କାରେ ରାଜଧାନୀର ବିଭିନ୍ନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜଗନ୍ନାଥଙ୍କ ଗିରଫ ପରେ ଓଏଏସ୍ ସଂଘ ତା’ର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି।
ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ। ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ସଂଘ।