ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବରଗଡ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି ।
ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ମନ୍ତ୍ରୀ, ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୨୨୦୭.୭ ଲକ୍ଷ ଅଟକଳ ମୂଲ୍ୟର ସମୁଦାୟ ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଓଡିଶା ସରକାରଙ୍କ ଏକ ବର୍ଷର ଉପଲବ୍ଧି ତଥା ବରଗଡ଼ର ବିକାଶରେ ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଜିଲ୍ଲାର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ଜିଲ୍ଲା ସାଂସ୍କୃତି ଭବନ ନିର୍ମାଣ ତଥା ସମ୍ପ୍ରସାରଣ ପାଇଁ ୧୪୫. ୮ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ସହ କ୍ରୀଡା ଓ ଯୁବସେବା ବିଭାଗ ଅଧୀନରେ ଜାମୁଡ଼ା ଠାରେ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ୮୦୦. ୦ ଲକ୍ଷ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋଟ ୧୨୬୧. ୯ ଲକ୍ଷ ଅଟକଳ ମୂଲ୍ୟର ୧୪ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ସାଂସଦ, ବରଗଡ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବିଧାୟକ ବରଗଡ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ, ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଝାରସୁଗୁଡା ଶ୍ରୀ ଟଙ୍କଧର ତ୍ରିପାଠୀ,ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରାଶିଷ ଆଚାର୍ଯ୍ୟ,ଏବଂ ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡତିଆ ମଂଚାସୀନ ହୋଇ ସରକାରଙ୍କ ଏକ ବର୍ଷର ଉପଲବ୍ଧି ସହ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିବା ବେଳେ ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ମଂଚାସୀନ ଥିଲେ।