ଅବସର ପରେ ଭାଙ୍ଗିଲା ରୋହିତଙ୍କ କୀର୍ତ୍ତିମାନ, WTC ରେ ପଂତ ରଚିଲେ ଇତିହାସ; ସମସ୍ତ ଭାରତୀୟ ଖେଳାଳିଙ୍କୁ ପକାଇଲେ ପଛରେ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହେଡିଂଲି ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଦଳ ପ୍ରଥମ ଇନିଂସରେ ୪୭୧ ରନ୍ କରିଥିଲା। ଭାରତ ପାଇଁ ରିଷଭ ପନ୍ତ, ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜୟସ୍ୱାଲ ଶତକ ହାସଲ କରିଥିଲେ। ଏହି ଖେଳାଳିମାନଙ୍କ ଯୋଗୁଁ ଦଳ ଏକ ବଡ଼ ସ୍କୋର କରିପାରିଥିଲା। ପନ୍ତ ତାଙ୍କ ଇନିଂସରେ ୬ଟି ଛକା ମାରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତ ପାଇଁ ସର୍ବାଧିକ ଛକା ମାରିବାରେ ପ୍ରଥମସ୍ଥାନ ଅକ୍ତିଆର କରିଛନ୍ତି ।

ରିଷଭ ପନ୍ତ ତାଙ୍କ ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ପାରି ଖେଳିଥିଲେ ଏବଂ ଇଂଲଣ୍ଡ ବୋଲରମାନଙ୍କୁ ଧରାଶାୟୀ କରିବାରେ କୌଣସି କସରତ ଛାଡ଼ି ନଥିଲେ। ସେ ମ୍ୟାଚ୍ ରେ ୧୭୮ ବଲ୍ ରେ ୧୩୪ ରନ୍ କରିଥିଲେ, ଯେଉଁଥିରେ ୧୨ ଚୌକା ଏବଂ ୬ ଛକା ଅନ୍ତର୍ଭୁକ୍ତ ଥିଲା। ପନ୍ତ ଏକ ଛକା ସହିତ ତାଙ୍କର ଶତକ ପୂରଣ କରିଥିଲେ। ତାଙ୍କ ଇନିଂସରେ ୬ ଛକା ମାରି ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଇତିହାସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଖେଳାଳି ହୋଇଥିଲେ। ସେ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପନ୍ତଙ୍କ ନାମରେ ଏବେ WTC ରେ ୬୨ ଟି ଛକା ହୋଇଛି । ରୋହିତ ଶର୍ମା WTC ରେ ମୋଟ ୫୬ ଟି ଛକା ମାରିଛନ୍ତି। ରୋହିତ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏବେ ପନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ସର୍ବାଧିକ ଛକା ମାରିବା ମାମଲାରେ ସମସ୍ତ ଭାରତୀୟ ଖେଳାଳିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ରିଷଭ ପନ୍ତଙ୍କୁ ଭାରତର ସର୍ବୋତ୍ତମ ଟେଷ୍ଟ ୱିକେଟକିପରଙ୍କ ମଧ୍ୟରେ ଗଣନା କରାଯାଏ। ସେ ୨୦୧୮ରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ୭ ବର୍ଷ ପରେ, ସେ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ଶତକ ମାରିଥିବା ୱିକେଟକିପର ମଧ୍ୟ ହୋଇଥିଲେ। ସେ ଏପର୍ଯ୍ୟନ୍ତ ୪୪ଟି ଟେଷ୍ଟ ମ୍ୟାଚ୍ ଖେଳି ମୋଟ ୩୦୮୨ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ବ୍ୟାଟ୍ ରୁ ୭ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ଆସିଛି।