
ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଗୋପାଳପୁର ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ପୋଲିସ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ସନ୍ଦେହରେ ମୋଟ ସାତ ଜଣ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ ଗତ ରବିବାର ରାତିରେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରେ ପୋଲିସ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୭ ଜଣକୁ ଥାନାରେ ଅଟକ ପଚରାଉଚରା କରୁଛି । ତଦନ୍ତ ସମୟରେ ଏହି ଘଟଣାରେ ୧୦ଜଣ ଯୁବକଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି ।

ସେପଟେ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ ଗୋପାଳପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ।ଏପରିକି ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍ ,ଥାନାଧିକାରୀ ଓ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଘଟଣା ସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତ ଫେରାର ରହିଥିବା ବେଳେ ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।