ଯାଜପୁରରେ ଆତଙ୍କ ଖେଳାଇଛି ଝାଡାବାନ୍ତି: ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ସିଲ

ବ୍ୟାସନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ଓ ସ୍ଥିତି ସୁଧୁରୁଛି । ଏବେ ସୁଦ୍ଧା ଯାଜପୁର ଜିଲ୍ଲାରେ୨୬୫ ଆକ୍ରାନ୍ତ ବିଭିନ୍ନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଯାଜପୁର ରୋଡ଼ ମେଡିକାଲ ରେ ୩୦ ଜଣ ଚିକିତ୍ସିତ ହେଉଥିଲା ବେଳେ ଆଜି ୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ନୂଆ ଆକ୍ରାନ୍ତ ୩ ଜଣଙ୍କୁ ମିଶାଇ ମୋଟ ୧୪ ଚିକିତ୍ସିତ ହେଉଛନ୍ତି । ସେହିଭଳି ଦାନଗଦି ମେଡିକାଲ ରେ ୨୦ ରୁ ଉର୍ଦ୍ଧ ଚିକିତ୍ସିତ ହେଉଥିବା ବେଳେ ସ୍ଥିତି ସ୍ଥିର ରହିଛି। କୋରେଇ, ବଡ଼ଚଣା, ଧର୍ମଶାଳାରେ ମଧ୍ୟ ସ୍ଥିତି ସୁଧୁରୁଛି। ଗତକାଲି ଠାରୁ ଯାଜପୁର ଓ ବରୀ ବ୍ଲକରେ ଏହି ରୋଗ ମାଡୁଥିବା ଦେଖିବାକୁ ମିଳିଛି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଅଧିକ ତତ୍ପରତା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ଓ ରାସ୍ତାକଡ ଖାଦ୍ୟ ଦୋକାନ, ପାଣି ବୋତଲ ଫାକ୍ଟ୍ରି ଉପରେ ଚଢାଉ କରି ସିଲ୍ କରାଯାଇଛି । ଆଜି ଦୁଇଟି ପାଣି ଫାକ୍ଟ୍ରି ଓ ଗୋଟିଏ ହୋଟେଲରେ ପାଣି ଟେଷ୍ଟରେ ଖରାପ ବାହାରିବାରୁ ତାକୁ ମଧ୍ୟ ସିଲ କରାଯାଇଛି ।ସେପଟେ ଟ୍ରେଣ୍ଡ ଚେଞ୍ଜ ହୋଇ ଏହି ଝାଡ଼ାବାନ୍ତି ରୋଗ ବୟସ୍କଙ୍କ ପରେ ଏବେ ଛୋଟ ଛୁଆଙ୍କୁ ବ୍ୟାପୁଥିବା ନଜର ଆସିଛି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସମସ୍ତଙ୍କୁ ସଚେତନ ରହିବାକୁ ନିବେଦନ କରିଛନ୍ତି।