
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଅନେକାଲ ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ଶଙ୍କର ତାଙ୍କ ପତ୍ନୀ ମନସାଙ୍କୁ ନିର୍ମମ ଭାବରେ ହତ୍ୟା କରି ରାତି ୧ଟାରେ ତାଙ୍କ କଟା ମୁଣ୍ଡ ନେଇ ନିଜେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଅବୈଧ ସମ୍ପର୍କକୁ ନେଇ ବିବାଦ ପରେ ଏହି ଘଟଣା ଘଟିଥିଲା।
ଶଙ୍କର ଏବଂ ତାଙ୍କ ପତ୍ନୀ ମନସା କିଛି ଦିନ ପୂର୍ବରୁ ବେଙ୍ଗାଲୁରୁର ହିଲାଲିଗେ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ପେଶାରେ ଜଣେ ଶ୍ରମିକ ଏବଂ ସବୁଦିନ ପରି ଜୁନ ୩ ରାତିରେ କାମ କରିବାକୁ ଯାଉଥିବା କହି ଘରୁ ବାହାରି ଆସିଥିଲେ।

ଶଙ୍କରଙ୍କ କହିବାନୁଯାୟୀ, ସେ ଜୁନ ୩ ରାତିରେ ଶୀଘ୍ର କାମ ଶେଷ କରି ହଠାତ୍ ଘରକୁ ଫେରି ଆସିଥିଲେ। ଯେତେବେଳେ ସେ ଘରେ ପହଞ୍ଚିଲେ, ଦେଖନ୍ତି ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ରାସଲୀଳାରେ ଲିପ୍ତ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ମନସା ଘରୁ ବାହାରି ଯାଇଥିଲେ।
ପୋଲିସ କହିଛି, ଗତ କିଛି ଦିନ ଧରି ମନସା ବାରମ୍ବାର ଘରକୁ ଫେରୁଥିଲେ ଏବଂ ଶଙ୍କରଙ୍କୁ ମାନସିକ ଭାବରେ ହଇରାଣ କରୁଥିଲେ। ହତ୍ୟାର ଗୋଟିଏ ରାତିରେ ମଧ୍ୟ ସେ ଘରକୁ ଆସି ବହୁତ ହଙ୍ଗାମା କରିଥିଲେ। ଏହି ଉତ୍ତେଜନା ଶଙ୍କରଙ୍କୁ ମାନସିକ ଭାବରେ ଭାଙ୍ଗି ଦେଇଥିଲା। କ୍ରୋଧରେ ଶଙ୍କର ୪ ଜୁନ ରାତିରେ ମାନସାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ, ସେ ତାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ରଖି ସିଧା ସୂର୍ଯ୍ୟନଗର ପୋଲିସ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।

ବେଙ୍ଗାଲୁରୁ ଗ୍ରାମୀଣ ଏସପିଙ୍କ ମତରେ, ଘଟଣା ରାତିରେ ସ୍ବାାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ବହୁତ ମାଡ଼ ମାରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ, ସେ ନିଜେ ପୋଲିସ ଷ୍ଟେଶନକୁ ଆସି ଅପରାଧ ସ୍ବୀକାର କରିଥିଲେ। ପ୍ରେମ ସମ୍ପର୍କ ପ୍ରକାଶ ପାଇବା ପରେ, ଗତ ସପ୍ତାହରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେମାନଙ୍କର ଏକ ପିଲା ମଧ୍ୟ ଅଛି।