
ବରଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଇଣ୍ଡିଆନ ବିୟୁଟି କାଉନସିଲ ଫେସନ ସୋ ଏବଂ ପାରମ୍ପରିକ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇ ଆଇ ଏମ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୈସ୍ୱାଲ ମୁଖ୍ୟ ଅତିଥି ଓ ଉପନିବନ୍ଧକ ସମୀକ୍ଷା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ବରଗଡ଼ର ମହିଳା ତଥା ଗୃହିଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଏ | ଚଳିତ ବର୍ଷ ମହିଳାଙ୍କ ମଧ୍ୟରେ ରିଲସ ପ୍ରତିଯୋଗିତା,ନୃତ୍ୟ,ଫେସନ ସୋ ଆଦି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚିସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିଲେ।

ଏହି ଅବସରରେ ବରଗଡ଼ ବାପୁଜୀ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ରାମ୍ପ ସୋ ରେ ଚାଲିବା ବେଶ ପ୍ରଶଂସନୀୟ ଥିଲା। ଆଇବିସିପିଙ୍କ ପାୱାର ୨୦୨୫ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସୌଗାତ ଷଡ଼ଙ୍ଗୀ,ନୁରା ବିବିଙ୍କୁ ଆଇବିସି ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଆଇ ବି ସି ର ସଭାପତି ମିନତୀ ସାହୁଙ୍କ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଶିଷ୍ଟ ସେପ୍ ସଂଗୀତା ଦାସ, ନୃତ୍ୟାଞ୍ଜଳୀ ଡ୍ୟାନ୍ସ ଏକାଡେମୀ ର ନିର୍ଦ୍ଦେଶିକା ଅଙ୍କିତା ଷଡ଼ଙ୍ଗୀ, ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସରିତା ସାହୁ, ପ୍ରଜ୍ଞା ଉତ୍କଳିକା ମିଶ୍ର, ପ୍ରତିଭା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।