ବନ୍ଦ କୋଠରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ ବୋଲି ଜଣାପଡିଛି । ପ୍ରଭାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶ୍ଵଶୁର ଘର ସାମ୍ନାରେ ଥିବା ଏକ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରଭାତୀ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପ୍ରଧାନଙ୍କର ମୃତ୍ୟୁ ହୋଇସାରିଛି ।

ତେବେ ଘର ପାଖ ବନ୍ଦ କୋଠରୀ ଭିତରୁ ଆଜି ତାଙ୍କ ସନ୍ଦେହ ଜନକ ମୃତ ଦେହକୁ ନେଇ ଏବେ ସସପେନ୍ସ ବଢି ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରିବା ସହ ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି ।