
ପାଣିକୋଇଲି ଛକ ନିକଟ ଜାତୀୟ ରାଜପଥରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ଚିକିତ୍ସା ପାଇଁ ଯାଉଥିବା ଯୁବକଙ୍କର ମୃତ୍ଯୁ ହୋଇଛି | ଜାତୀୟ ରାଜପଥର ପାଣିକୋଇଲି ଓଭରବ୍ରିଜ ନିକଟରୁ ଏକ ମୃତ ଦେହ ଉଦ୍ଧାର କରିଛି ପୋଲିସ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅସହାୟ ଅବସ୍ଥାରେ ଯୁବକ ପ୍ରାଣ ହରାଇଥିଲେ । ଯୁବକଙ୍କ ଘର ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଗ୍ରାମରେ । ଜୟନ୍ତ କୁମାର ଆଚାର୍ଯ୍ୟଙ୍କ ପୁଅ ଜଗତଜ୍ୟୋତି ଆଚାର୍ଯ୍ୟ , ବୟସ ୩୬ ବର୍ଷ ବୋଲି ଜଣାପଡିଛି । ଜଗତଜ୍ୟୋତି ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ଲୋକ କହିଛନ୍ତି । ଚିକିତ୍ସା ପାଇଁ ସେ ସକାଳେ ଘରୁ ବାହାରି ବସ୍ରେ କଟକ ଅଭିମୁଖେ ଯାଉଥିଲେ। ଦେହ ଅଧିକ ଅସୁସ୍ଥ ଲାଗିବାରୁ ଜଗତଜ୍ୟୋତି ପାଣିକୋଇଲି ନିକଟରେ ଓହ୍ଲାଇ ପଡ଼ିଥିଲେ। ପରେ ରାସ୍ତା କଡ଼ରେ ବ୍ୟାଗକୁ ମୁଣ୍ଡ ତଳେ ଦେଇ ଶୋଇଥିବା ସମୟରେ ହିଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ପ୍ରଥମେ ସ୍ଥାନୀୟ ଲୋକେ ଏହାକୁ ଗୁରୁତ୍ବ ଦେଇନଥିଲେ। କିଛି ସମୟ ପରେ ସନ୍ଦେହ ହେବାରୁ ସେମାନେ ପାଖକୁ ଯାଇ ଜଗତଜ୍ୟୋତିଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ କୁ ଉଦ୍ଧାର କରି ସବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପରିବାର ଲୋକ ପହଁଚିବା ପରେ ପୋଲିସ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।