କମ୍ପାନୀ ସିଇଓ ହେଲ ଜୋମାଟୋ ଡେଲିଭରୀ ବୟ

ଜଣେ ପ୍ରତିଷ୍ଠିତ କମ୍ପାନୀର ସିଇଓ ହୋଇଛନ୍ତି ଜୋମାଟୋ ଡେଲିଭରୀ କର୍ମଚାରୀ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଖାଲି ସିଇଓ ନୁହନ୍ତି, ତାଙ୍କ ପତ୍ନୀ ମଧ୍ଯ ତାଙ୍କ ସହ ସହରରେ ବୁଲି ଦେଉଛନ୍ତି ଫୁଡ୍ ଡେଲିଭରୀ । ଦୁହେଁ ହୋଟେଲରୁ ଅର୍ଡର ସଂଗ୍ରହ କରି ବାଇକରେ ଘର ଘର ବୁଲି ଲୋକଙ୍କ ଡେଲିଭରୀ ପହଞ୍ଚାଉଛନ୍ତି, ଯାହାକୁ ସାଧାରଣରେ ପ୍ରଶଂସା କରାଯାଉଛି । ଅନେକ ସମୟରେ କମ୍ପାନୀର ସିଇଓ ଏବଂ ଫାଉଣ୍ଡର ମାନେ ରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳେ । ଯେଉଁଥିରେ ତାଙ୍କ କମ୍ପାନୀର ନିଜସ୍ବ ସର୍ଭିସର ବାସ୍ତବତାକୁ ସେମାନେ ପରୀକ୍ଷଣ କରନ୍ତି । ଆଉ ଜୋମାଟୋରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।

ଜୋମାଟୋ ସିଇଓ ତଥା କୋ-ଫାଉଣ୍ଡର ଦୀପିନ୍ଦର ଗୋୟେଲ ମଧ୍ୟ ଅନ୍ୟ ସିଇଓଙ୍କ ଭଳି ନିଜ କମ୍ପାନୀର କାର୍ଯ୍ୟକଳାପକୁ ପାଖରୁ ନିରିକ୍ଷଣ କରିଛନ୍ତି । ଗୁରୁଗ୍ରାମରେ ଦୀପିନ୍ଦର ଜୋମାଟୋ ଟି-ସାର୍ଟ ପିନ୍ଧି ଡେଲିଭରୀ ପାଇଁ ରାସ୍ତାକୁ ଓହ୍ଲାଇ ଗଲେ । ତେବେ ଦୀପିନ୍ଦରଙ୍କ ସହ ତାଙ୍କ ପତ୍ନୀ ଗ୍ରେସିଆ ମୁନୋଜ ମଧ୍ୟ ରହିଥିଲେ । ଗ୍ରେସିଆ ନିକଟରେ ନିଜ ନାମ ପରିବର୍ତ୍ତନ କରି ଜିଆ ଗୋୟେଲ କରିନେଇଛନ୍ତି । ଦୀପିନ୍ଦର ଇନଷ୍ଟାଗ୍ରାମରେ ନିଜ ଫୋଟୋ ସେୟାର କରି ଜିଆଙ୍କୁ ଟ୍ୟାଗ୍ କରିଛନ୍ତି । ସେ ଲେଖିଛନ୍ତି, କିଛି ଦିନ ପୂର୍ବରୁ ଅର୍ଡର ଡେଲିଭରୀ କରିବା ପାଇଁ ବାହାରକୁ ଯାଇଥିଲି । ସେ ଅନେକ ଫୋଟୋ ସେୟାର କରିଛନ୍ତି । ଗୋଟିଏ ଫୋଟୋରେ ସେ ବାଇକ୍ ଚଲାଉଥିବା ଦେଖିବାକୁ ମିଳୁଛି । ଅନ୍ୟ ଗୋଟିଏରେ ସେ ଫୋନ୍ ବ୍ୟବହାର କରୁଥିବା ଦେଖାଯାଉଛି । କିଛି ଫୋଟୋରେ ସେ ଗ୍ରାହକଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଏହି ଫୋଟୋକୁ ନେଇ ସୋସାଲ ମିଡିଆରେ ଖୁବ୍ ଚର୍ଚ୍ଚା । କିଛି ଲୋକ ଏହାକୁ ପ୍ରଶଂସା କରୁଥିବା ବେଳେ କିଛି ଲୋକ ସମାଲୋଚନା କରୁଛନ୍ତି ।

Leave a Reply

Your email address will not be published. Required fields are marked *